ରାଜ୍ୟର ୫୬% ଗ୍ରାମାଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା ନାହିଁ: ଭାଜପା

ଭୁବନେଶ୍ୱର,୧୦।୪(ବ୍ୟୁରୋ): ୨୨ବର୍ଷ ଶାସନ କ୍ଷମତାରେ ରହି ମଧ୍ୟ ଜଳ ସଂରକ୍ଷଣ ବ୍ୟବସ୍ଥାରେ ଫେଲ୍‌ ହୋଇଥିବା ରାଜ୍ୟ ସରକାର ରାଜ୍ୟରେ ସାମାନ୍ୟ କେନାଲଟିଏ ମଧ୍ୟ ନିର୍ମାଣ କରିବାରେ ବିଫଳ ହୋଇଛନ୍ତି। ରାଜ୍ୟର ୩୧୪ ବ୍ଲକରୁ ୧୬୦ଟି ବ୍ଲକରେ ପାନୀୟ ଜଳ ପ୍ରକଳ୍ପ କାଗଜକଲମରେ ସୀମିତ ରହିଛି। ରାଜ୍ୟର ୫୬ ପ୍ରତିଶତ ଗ୍ରାମାଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା ନାହିଁ। ଗଞ୍ଜାମରେ ୨୩୭ଟି ପ୍ରକଳ୍ପରୁ ୧୧୩ଟି ପ୍ରକଳ୍ପ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ। ଆଦିବାସୀ ଓ ଶିଳ୍ପ ଜିଲା ଭାବେ ପରିଚିତ ସୁନ୍ଦରଗଡ଼ ଜିଲାରେ ମାତ୍ର ୭ ପ୍ରତିଶତ ଘରକୁ ପାଣି ଯୋଗାଣ ହୋଇଛି।
ଜାତୀୟସ୍ତରରେ ୮୩ ପ୍ରତିଶତ ବିଦ୍ୟାଳୟ ଏବଂ ୭୮ ପ୍ରତିଶତ ଅଙ୍ଗନଓ୍ବାଡି କେନ୍ଦ୍ରକୁ ପାନୀୟ ଜଳ ବ୍ୟବସ୍ଥା ଥିବାବେଳେ ଓଡ଼ିଶାରେ ୬୭ ପ୍ରତିଶତ ବିଦ୍ୟାଳୟ ଏବଂ ୫୪ ପ୍ରତିଶତ ଅଙ୍ଗନଓ୍ବାଡି କେନ୍ଦ୍ରକୁ ପାନୀୟ ଜଳ ଯୋଗାଣ ହୋଇଛି। ଏପରି କି ଓଡ଼ିଶାର ୪୦ ପ୍ରତିଶତ ଗ୍ରାମରେ ‘ଗ୍ରାମ ଜଳ ଓ ପରିମଳ କମିଟି’ ଗଠନ ହୋଇନାହିଁ। ୨୦୧୯ ଡିସେମ୍ବର ୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିବା ୧୧୦ଟି ମେଗା ଜଳ ପ୍ରକଳ୍ପ ଶେଷ ହୋଇନାହିଁ। ୨୦୨୧-୨୨ ଆର୍ଥିକ ବର୍ଷରେ ପାନୀୟ ଜଳ ବାବଦରେ ରାଜ୍ୟ ସରକାର ମାତ୍ର ୪୨.୦୭ କୋଟି ଟଙ୍କା ଖର୍ଚ୍ଚ କରିଥିଲେ।
୨୦୧୯ ମସିହାରୁ ପାନୀୟ ଜଳ ପ୍ରକଳ୍ପ ବାବଦରେ ୧୨୯୮.୭୧ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନକୁ ବ୍ୟବହାର କରିବାରେ ରାଜ୍ୟ ସରକାର ବିଫଳ ହୋଇଥିଲେ। ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ପାନୀୟ ଜଳ ବାବଦରେ ଖର୍ଚ୍ଚ ନ କରିପାରିବା କାରଣରୁ ୮୩୧କୋଟି ଟଙ୍କା ଫେରିଯିବା ରାଜ୍ୟ ସରକାରଙ୍କ ଅପାରଗତାକୁ ସ୍ପଷ୍ଟ ପ୍ରମାଣିତ କରିଛି ବୋଲି ଭାଜପା ରାଜ୍ୟ ମୁଖପାତ୍ର ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂହ କହିଛନ୍ତି।
ରାଜ୍ୟର ସବୁ ନଦୀ, ନାଳ ଏକପ୍ରକାର ଶୁଷ୍କ ହେବାରୁ ଲୋକମାନେ ପିଇବା ପାଣି ଓ ଚାଷ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମହିଳାମାନେ ଚୁଆରୁ ପାଣି ଆଣି ପାନୀୟ ଜଳ ଭାବେ ବ୍ୟବହାର କରିବାର ଦୃଶ୍ୟ ଅତ୍ୟନ୍ତ ଅବର୍ଣ୍ଣନୀୟ। ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜ୍ୟର ବହୁ ସ୍ଥାନରେ ପାଇପ ପଡ଼ି ରହିଛି, କିନ୍ତୁ ବିଜୁଳି ସଂଯୋଗ ହୋଇନାହିଁ। ଅନେକ ସ୍ଥାନରେ ପାଇପ ଫାଟି ଯାଇଥିବା ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି।
ପାଇପ କିଣାରେ ବ୍ୟାପକ ଦୁର୍ନୀତି ହେଉଛି।
ଅନ୍ୟପଟେ କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ସରକାର ବଡ଼ ବଡ଼ ହୋର୍ଡିଂ ଓ ବିଜ୍ଞାପନ ଜରିଆରେ କେବଳ ଦଳୀୟ ପ୍ରଚାର କାର୍ଯ୍ୟରେ ବ୍ୟବହାର କରୁଛନ୍ତି ଅଥଚ କେନ୍ଦ୍ର ଜଳଜୀବନ ମିଶନ ଲୋଗୋ କିମ୍ବା କେନ୍ଦ୍ରୀୟ ଅନୁଦାନ ସମ୍ପର୍କରେ କୌଣସି ସୂଚନା ନାହିଁ। ସମସ୍ତଙ୍କୁ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟ ନେଇ ମିଶନ ମୋଡ୍‌ରେ ଆରମ୍ଭ ହୋଇଥିବା କେନ୍ଦ୍ରୀୟ ଯୋଜନା ‘ହର୍‌ ଘର୍‌, ନଲ୍‌ ପେ ଜଲ୍‌’ ଯୋଜନାକୁ ରାଜ୍ୟରେ ଠିକ୍‌ ଏବଂ ନିର୍ଦ୍ଧାରିତ ସମୟରେ ସମାପ୍ତ କରିବା ପାଇଁ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ମୁଖପାତ୍ର ବିରଞ୍ଚିି ନାରାୟଣ ତ୍ରିପାଠୀ ଏବଂ ରାଜ୍ୟ ଗଣମାଧ୍ୟମ ସହ ମୁଖ୍ୟ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।