Categories: ରାଜ୍ୟ

କୁମ୍ଭୀର ମାରି ମାଂସ ଖାଇବା ଘଟଣା: ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ

ମାଲକାନଗିରି,୨ା୭(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଛତିଶଗଡ ସୀମାନ୍ତ ପଡିଆ ବ୍ଲକ ଅନ୍ତର୍ଗତ କାଲଦାପାଲି ଅଞ୍ଚଳରେ ଏକ କୁମ୍ଭୀରକୁ ସାବେରୀ ନଦୀରୁ ଧରି କେତେକ ଲୋକ ତାକୁ ଗଛରେ ବାନ୍ଧି ମାଂସ କାଟି ନେଇଥିବା ଘଟଣାରେ ପ୍ରଶାସନ ଖୋଳତାଡ ଆରମ୍ଭ କରିଛି। କାଲିମେଳା ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ମାଡକାମି ଏବଂ ବନ ବିଭାଗର କର୍ମଚାରୀ ବୁଧବାର ସେହି ଅଞ୍ଚଳର ବିଭିନ୍ନ ଗ୍ରାମକୁ ଯାଇ ଘଟଣା ସମ୍ପର୍କରେ ଅନୁସନ୍ଧାନ କରିଥିଲେ। ମାତ୍ର ଅଞ୍ଚଳବାସୀ ଏହି ଘଟଣାକୁ ଅସ୍ବୀକାର କରିଥିଲେ। ଡିଏଫ୍‌ଓ ପ୍ରଦୀପ ଦେବିଦାସ ମିରାଶେ ଏହି ଘଟଣା ଜାଣିବା ପରେ ୩ଟି ଟିମ୍‌ ଗଠନ କରି ସମ୍ପୃକ୍ତ ଅଞ୍ଚଳକୁ ପଠାଇଛନ୍ତି। ଏନେଇ ଡିଏଫ୍‌ଓ ମିରାଶେଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସମ୍ପୃକ୍ତ ଅଞ୍ଚଳକୁ ତଦନ୍ତକାରୀ ଟିମ୍‌ ପଠାଯାଇଛି। ତଦନ୍ତ ପରେ ଯଦି ଏହାର ସତ୍ୟତା ଜଣାପଡେ ତେବେ ଅଭିଯୁକ୍ତଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।