ବାହାନଗାର ବିକାଶ ପାଇଁ ୧. ୫୫ କୋଟି ମଞ୍ଜୁର

ଭୁବନେଶ୍ୱର, ୭।୭(ଅଭିଜିତ ଦାସ):ବାଲେଶ୍ୱର ଜିଲା ବାହାନଗାଠାରେ ଜୁନ୍‌ ୨ରେ ରେଳ ଦୁର୍ଘଟଣାରେ ଅନେକ କ୍ଷୟକ୍ଷତି ଘଟିଥିଲା। ଜୁନ୍‌ ୨୦ ଓ ୨୧ରେ ଏହି ଘଟଣାସ୍ଥଳ ପରିଦର୍ଶନ ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାହାନଗା ଅଞ୍ଚଳବାସୀଙ୍କୁ ଉଦ୍ଧାର କାର୍ଯ୍ୟରେ ସହାୟତା ଲାଗି ଧନ୍ୟବାଦ ଦେବା ସହ ଅଞ୍ଚଳର ବିକାଶ ପାଇଁ ଅର୍ଥ ମଞ୍ଜୁର କରିବାକୁ ପ୍ରତିଶୁତି ଦେଇଥିଲେ। ସେହି ଅନୁଯାୟୀ ରେଳମନ୍ତ୍ରୀ ଦୁଇ ସପ୍ତାହ ମଧ୍ୟରେ ନିଜ ପ୍ରତିଶୁତି ରକ୍ଷା କରି ଗୁରୁବାର ୧ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।
ରେଳମନ୍ତ୍ରୀ ବୈଷ୍ଣବ ନିଜ ଏମ୍‌ପି ଲ୍ୟାଡ୍‌ ଫଣ୍ଡରୁ ଏହି ଅନୁଦାନ ଦେଇଛନ୍ତି। ୧ କୋଟି ଟଙ୍କା ବାହାନଗା ଅଞ୍ଚଳର ବିକାଶ ଲାଗି ଖର୍ଚ୍ଚ କରାଯିବାକୁ ପ୍ରସ୍ତାବ ଥିବାବେଳେ ବାଲେଶ୍ୱର ମୁଖ୍ୟ ହସ୍ପିଟାଲରେ ୩୫ ଲକ୍ଷ ଟଙ୍କାରେ ଏକ ଅତ୍ୟାଧୁନିକ ସୁବିଧାସମ୍ପନ୍ନ ଆମ୍ବୁଲାନ୍ସ ଏବଂ ୨୦ ଲକ୍ଷ ଟଙ୍କାରେ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟରେ ଅତ୍ୟାଧୁନିକ ଅପରେଶନ ଥିଏଟର ନିର୍ମାଣ କରାଯିବ। ବାହାନଗା ଅଞ୍ଚଳର ବିକାଶ ପାଇଁ ଖର୍ଚ୍ଚ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ବାହାନଗା ଏବଂ ନିକଟବର୍ତ୍ତୀ ଗ୍ରାମଗୁଡିକରେ ୫ଟି କମ୍ୟୁନିଟି ସେଣ୍ଟର ଏବଂ ହଲ୍‌ ସହିତ ଶୌଚାଳୟ ନିର୍ମାଣ କରାଯିବ। ସେହିପରି ବାସୁଲି ହାଇସ୍କୁଲ ନିକଟରେ ଶିଶୁ ଉଦ୍ୟାନ ଏବଂ ଓପନ୍‌ ଜିମ୍‌, ୧୬ନଂ. ଜାତୀୟ ରାଜପଥରୁ ସାର୍ଟିରା ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ମରାମତି, ପ୍ରାଣବନ୍ଧୁ ବିଦ୍ୟାପୀଠ ଖେଳ ପଡ଼ିଆର ଉନ୍ନତୀକରଣ ଏବଂ ୪୨ଟି ସୋଲାର ଷ୍ଟ୍ରିଟ୍‌ ଲାଇଟ ଲଗାଯିବାର ପ୍ରସ୍ତାବ ରହିଛି।