Categories: ଜାତୀୟ

ଲୋକପାଳଙ୍କ ନିକଟରେ ୫୫ ଅଭିଯୋଗ

ନୂଆଦିଲ୍ଲୀ,୨୩ା୧୦(ପି.ଟି.):ଲୋକପାଳଙ୍କ ନିକଟରେ ଗତ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ୫୫ଟି ଅଭିଯୋଗ କରାଯାଇଛି। ସେଥିମଧ୍ୟରୁ ୩ ଜଣ ଏମ୍‌ପିଙ୍କ ବିରୋଧରେ ଅଭିଯୋଗ ଥିବା ଜଣାପଡ଼ିଛି।
ଦୁର୍ନୀତି ନିବାରଣ ଜଗୁଆଳି ସଂସ୍ଥା ଲୋକପାଳଙ୍କ ନିକଟରେ ଦାଖଲ କରାଯାଇଥିବା ୫୫ ଅଭିଯୋଗପତ୍ର ମଧ୍ୟରୁ ୨୨ଟି ଗ୍ରୁପ୍‌ ‘ଏ’ ଏବଂ ‘ବି’ ବର୍ଗର କେନ୍ଦ୍ରୀୟ ଅଧିକାରୀଙ୍କ ବିରୋଧରେ ରହିଛି। ସେହିପରି କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପାଣ୍ଠିରେ ଚାଲୁଥିବା ବିଭିନ୍ନ ବୋର୍ଡ/ ନିଗମ/ସ୍ବୟଂଶାସିତ ସଂସ୍ଥାର ଅଧ୍ୟକ୍ଷ, ସଦସ୍ୟ ଓ କର୍ମଚାରୀଙ୍କ ବିରୋଧରେ ୨୬ ମାମଲା ରହିଛି। ୪ ଅଭିଯୋଗ ଅନ୍ୟ ବର୍ଗର ଲୋକଙ୍କ ବିରୋଧରେ ଅଛି। ପ୍ରାଥମିକ ଯାଞ୍ଚ ପରେ ୨୮ଟି ଅଭିଯୋଗକୁ ବନ୍ଦ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସେପ୍ଟେମ୍ବର ଶେଷ ସୁଦ୍ଧା ଅପ୍‌ଡେଟ୍‌ କରାଯାଇଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି।
କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)ଙ୍କ ଦ୍ୱାରା ୧୨ ଓ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଦିଆଯାଇଥିବା ଗୋଟିଏ ଅଭିଯୋଗର ପ୍ରାଥମିକ ତଦନ୍ତ ପାଇଁ ଲୋକପାଳ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ବିଭିନ୍ନ ପଦପଦବୀରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ଯାଞ୍ଚ ଓ ତଦନ୍ତ ପାଇଁ ଲୋକପାଳ ଗଠନ କରାଯାଇଥିଲା। ୨୦୧୯ ମାର୍ଚ୍ଚ ୨୩ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍‌ ପିନାକୀ ଚରଣ ଘୋଷଙ୍କୁ ଲୋକପାଳ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ। ଏହି ଦୁର୍ନୀତି ବିରୋଧୀ ସଂସ୍ଥାର ଅନ୍ୟ ୮ ସଦସ୍ୟଙ୍କୁ ସେହିବର୍ଷ ମାର୍ଚ୍ଚ ୨୭ରେ ଜଷ୍ଟିସ୍‌ ଘୋଷ ଶପଥ ପାଠ କରାଇଥିଲେ। ଗତ ମେ’ରେ ଲୋକପାଳ ସଦସ୍ୟ ଜଷ୍ଟିସ୍‌ ଅଜୟ କୁମାର ତ୍ରିପାଠୀଙ୍କ ପରଲୋକ ହୋଇଥିଲା। ସେହିପରି ଜଷ୍ଟିସ୍‌ ଦିଲୀପ ବି. ଭୋସ୍‌ଲେ ଗତ ଜାନୁୟାରୀରେ ଲୋକପାଳ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।
୨୦୧୯-୨୦ରେ ଲୋକପାଳ ମୋଟ ୧,୪୨୭ଟି ଅଭିଯୋଗ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୬୧୩ ଅଭିଯୋଗ ରାଜ୍ୟ ସରକାରଙ୍କ ଅଧିକାରୀ, ୪ କେନ୍ଦ୍ରମନ୍ତ୍ରୀ ଓ ପାର୍ଲାମେଣ୍ଟ ସଦସ୍ୟ (ଏମ୍‌ପି)ଙ୍କ ବିରୋଧରେ ରହିଥିବା ତଥ୍ୟରୁ ଜଣାପଡ଼ିଛି। ଏଥିରେ ଆହୁରି କୁହାଯାଇଛି ଯେ, ୨୪୫ ଅଭିଯୋଗ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ବିରୋଧରେ ରହିଛି। ସରକାରୀ ଉଦ୍ୟୋଗ(ପିଏସ୍‌ୟୁ), ସାମ୍ବିଧାନିକ ସଂସ୍ଥା, ନ୍ୟାୟପାଳିକା ଓ କେନ୍ଦ୍ରୀୟ ସ୍ତରର ସ୍ବୟଂଶାସିତ ସଂସ୍ଥାଗୁଡ଼ିକରେ କାର୍ଯ୍ୟରତ ଅଧିକାରୀଙ୍କ ବିରୋଧରେ ୨୦୦ ଅଭିଯୋଗ ଆସିଥିବାବେଳେ ଘରୋଇ ଓ ଅନ୍ୟ ସଙ୍ଗଠନର ବ୍ୟକ୍ତିଙ୍କ ନାମରେ ୧୩୫ ଅଭିଯୋଗ କରାଯାଇଛି। ଅନୁରୂପ ଭାବେ ବିଭିନ୍ନ ରାଜ୍ୟର ମନ୍ତ୍ରୀ ଓ ବିଧାୟକଙ୍କ ବିରୋଧରେ ୬ ମାମଲା ଥିବାବେଳେ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ରହିଛି।

Share