ଚାଇନାକୁ ୫୦ ହଜାର କୋଟିର ଝଟ୍‌କା…

ନୂଆଦିଲ୍ଲୀ,୩୧।୧୦: ଦୀପାବଳି ପୂର୍ବରୁ ଭାରତରେ ଚାଇନାର ସାମଗ୍ରୀର କାରବାରରେ ବ୍ୟାପକ କ୍ଷତି ହେବାର ଆଶଙ୍କା ଦେଖାଦେଇଛି। କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ କୁହାଯାଇଛି ଯେ ଘରୋଇ ବଜାରରେ ଭାରତୀୟମାନେ ଚାଇନା ସାମଗ୍ରୀ ବର୍ଜନ କରୁଥିବାରୁ ଚଳିତ ବର୍ଷ ଚାଇନାର ରପ୍ତାନିକାରୀ ମାନଙ୍କର ଆନୁମାନିକ ୫୦,୦୦୦ କୋଟି ଟଙ୍କା କ୍ଷତି ହେବାର ଆଶଙ୍କା ଦେଖାଦେଇଛି। ଭାରତ ପକ୍ଷରୁ ଚାଇନାରୁ ବାଣ ଏବଂ ଅନ୍ୟାନ୍ୟ ଶସ୍ତା ଉତ୍ପାଦ ଉପରେ ପ୍ରତିବନ୍ଧ ଜାରି ରହିଛି।

ଏହାଦ୍ୱାରା ଭାରତର ଘରୋଇ ଶିଳ୍ପଗୁଡିକ ବେଶ୍‌ ଲାଭାନ୍ବିତ ହେବେ। ଏକ ବିବୃତ୍ତିରେ ସିଏଆଇଟି କହିଛି ଯେ ଚଳିତ ଦୀପାବଳିରେ ଭାରତୀୟ ବଜାରରେ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ହେତୁ ଏକ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ଚଳିତ ଥର ୨ ଲକ୍ଷ କୋଟି ଟଙ୍କାର କାରବାର ହେବାର ଆଶା ରହିଥିବା ସିଏଆଇଟି ପକ୍ଷରୁ କୁହାଯାଇଛି।

ଲୋକେ ଚାଇନାର ଉତ୍ପାଦ ପ୍ରତି ଆଗ୍ରହ ଦେଖାଉ ନାହାଁନ୍ତି। ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସିଏଆଇଟି ଚାଇନାର ସାମଗ୍ରୀକୁ ବର୍ଜନ କରିବାକୁ ଆହ୍ବାନ ଦେଇଛି। ନିକଟରେ ଦେଖାଯାଇଥିବା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ଯେ ଦେଶର ପ୍ରମୁଖ ସହରଗୁଡିକର ଗ୍ରାହକମାନେ ଚାଇନାର ଉତ୍ପାଦ କିଣିବାକୁ ଆଗ୍ରହୀ ନୁହଁନ୍ତି, ଯାହା ଭାରତୀୟ ସାମଗ୍ରୀର ଚାହିଦାକୁ ବୃଦ୍ଧି କରୁଥିବା ସିଏଆଇଟି କହିଛି।

ଭାରତୀୟ ବ୍ୟବସାୟୀମାନେ ଚାଇନାର ରପ୍ତାନିକାରୀଙ୍କୁ ଅର୍ଡର ଦେଇନାହାନ୍ତି। ସିଏଆଇଟି ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ୨୦ଟି ସହରରେ ଅନୁସନ୍ଧାନ ୱିଙ୍ଗ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଚାଇନାର ରପ୍ତାନିକାରୀଙ୍କ ପାଇଁ ଭାରତୀୟ ବ୍ୟବସାୟୀ କିମ୍ବା ଆମଦାନୀକାରୀଙ୍କ ଦୀପାବଳି ସାମଗ୍ରୀ ପାଇଁ ଅର୍ଡର ଦିଆଯାଇ ନାହିଁ। ନୂଆଦିଲ୍ଲୀ, ଅହମ୍ମଦାବାଦ, ମୁମ୍ବାଇ, ନାଗପୁର, ଜୟପୁର, ଲକ୍ଷ୍ନୌ, ଚଣ୍ଡିଗଡ଼, ରାୟପୁର, ଭୁବନେଶ୍ୱର, କୋଲକାତା, ରାଞ୍ଚି, ଗୁଆହାଟି, ପାଟନା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ମଦୁରାଇ, ପଣ୍ଡିଚେରୀ, ଭୋପାଳ ଏବଂ ଜାମ୍ମୁ ଆଦି ସହରରେ ଏହି ସର୍ଭେ ହୋଇଥିବା ସେ ସୂଚନା ଦେଇଛନ୍ତି।

ପ୍ରତିବର୍ଷ ରାଖୀ ଠାରୁ ନୂଆ ବର୍ଷ ପର୍ଯ୍ୟନ୍ତ ପାଞ୍ଚ ମାସର ପାର୍ବଣ ଋତୁରେ ଭାରତୀୟ ବ୍ୟବସାୟୀ ଏବଂ ରପ୍ତାନିକାରୀମାନେ ସାଧାରଣତ ଚାଇନାରୁ ପ୍ରାୟ ୮୭୦,୦୦୦ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଆମଦାନୀ କରିଥାନ୍ତି। ତେବେ ଏଥର ରାଖୀରେ ଚାଇନା ୫୦୦୦ କୋଟି ଟଙ୍କା ଏବଂ ଗଣେଶ ପୂଜାରେ ୫୦୦ କୋଟି ଟଙ୍କାର କ୍ଷତି ସହିଛି। ଏଭଳି ପରିସ୍ଥିତି ଦୀପାବଳିରେ ଜାରି ରହିଲେ, ଚାଇନାର କ୍ଷତି ପରିମାଣ ବଢ଼ିଚାଲିବ ବୋଲି ସିଏଆଇଟି କହିଛି।

 

Share