ଏଡିନବର୍ଗ, ୧୪ା୫:ସ୍କଟ୍ଲାଣ୍ଡରେ ପ୍ରତ୍ନତତ୍ତ୍ୱବିତ୍ମାନେ ଏକ ରହସ୍ୟମୟ କୃତ୍ରିମ ଦ୍ୱୀପର ସନ୍ଧାନ ପାଇଛନ୍ତି, ଯାହା ୫,୦୦୦ ବର୍ଷରୁ ଅଧିକ ପୁରୁଣା ବୋଲି ଅନୁମାନ କରାଯାଉଛି। ଏହି ଆବିଷ୍କାର ପ୍ରାଗୈତିହାସିକ ଯୁଗର ନିର୍ମାଣ କୌଶଳ ଓ ସେ ସମୟର ସମାଜ ବିଷୟରେ ଅନେକ ନୂତନ ତଥ୍ୟ ସାମ୍ନାକୁ ଆଣିଛି। ଏହି ପ୍ରାଚୀନ ଗଢ଼ଣ ସଂରଚନାକୁ ‘କ୍ରାନୋଗ’ କୁହାଯାଏ। ଏହା ହେଉଛି ହ୍ରଦ ବା ନଦୀ ମଧ୍ୟରେ ପଥର, କାଠ ଏବଂ ବୁଦା ସାହାଯ୍ୟରେ ନିର୍ମିିତ ଏକ କୃତ୍ରିମ ଦୀପ। ସ୍କଟ୍ଲାଣ୍ଡର ‘ଆଇଲ ଅଫ୍ ଲୁଇସ୍’ର ‘ଲୋକ୍ ଭୋରଗାଷ୍ଟାଇଲ’ଠାରେ ଏହି ବିଶେଷ ଦ୍ୱୀପଟି ମିଳିଛି। ପୂର୍ବରୁ ବିଶେଷଜ୍ଞମାନେ ମନେ କରୁଥିଲେ ଯେ ଏହିଭଳି ନିର୍ମାଣ ଲୌହ ଯୁଗ (ପ୍ରାୟ ଖ୍ରୀଷ୍ଟପୂର୍ବ ୮୦୦) ସମୟର। କିନ୍ତୁ ନୂତନ ଗବେଷଣା ଏହାକୁ ବହୁ ପୁରାତନ ବୋଲି ପ୍ରମାଣିତ କରିଛି।
ୟୁନିଭରସିଟି ଅଫ୍ ସାଉଥମ୍ପଟନ ଏବଂ ୟୁନିଭରସିଟି ଅଫ୍ ରିଡିଙ୍ଗ୍ର ଗବେଷକମାନେ ଏହି ସ୍ଥାନର ଅନୁଧ୍ୟାନ ପାଇଁ ଅତ୍ୟାଧୁନିକ ଇମେଜିଂ ଟେକ୍ନୋଲୋଜି, ଜଳମଗ୍ନ ସର୍ଭେ ଏବଂ ଖନନ ପ୍ରକ୍ରିୟାର ସହାୟତା ନେଇଥିଲେ। ଗବେଷଣାରୁ ଜଣାପଡ଼ିଛି, ଏହି ଦ୍ୱୀପଟି ପ୍ରାୟ ୨୩ ମିଟର ଚଉଡ଼ା ଏକ ବିଶାଳ କାଠ ପ୍ଲାଟଫର୍ମ ଉପରେ ଠିଆ ହୋଇଥିଲା। ଏହାର ମୂଳଦୁଆ କାଠ ଓ ବୁଦା ଦାରା ପ୍ରସ୍ତୁତ କରାଯାଇ ତା’ ଉପରେ ପଥର ପକାଯାଇଥିଲା। ଅଗଭୀର ଜଳରେ ସ୍ପଷ୍ଟ ଚିତ୍ର ନେବା ବେଶ୍ କଷ୍ଟକର। ପଙ୍କ, ପ୍ରତିଫଳିତ ଆଲୋକ ଏବଂ ଭାସୁଥିବା ଜଳଜ ଉଦ୍ଭିଦ ପ୍ରତ୍ନତତ୍ତ୍ୱବିତ୍ଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା, ବୋଲି ସାମୁଦ୍ରିକ ପ୍ରତ୍ନତତ୍ତ୍ୱବିତ୍ ଫ୍ରେଜର ଷ୍ଟାର୍ଟ ପ୍ରକାଶ କରିଛନ୍ତି। ରେଡିଓକାର୍ବନ ଡେଟିଂରୁ ଜଣାପଡ଼ିଛି ଯେ ଏହି ଦ୍ୱୀପ ଖ୍ରୀଷ୍ଟପୂର୍ବ ୩୬୪୦ ରୁ ୩୩୬୦ ମଧ୍ୟରେ ନିର୍ମିତ ହୋଇଥିଲା। ଏହାର ଅର୍ଥ ହେଉଛି, ଏହା ବିଶ୍ୱପ୍ରସିଦ୍ଧ ଷ୍ଟୋନହେଞ୍ଜଠାରୁ ମଧ୍ୟ ପୁରୁଣା। ଉକ୍ତ ସ୍ଥାନରୁ ଶତାଧିକ ନିଓଲିଥିକ (ନୂତନ ପ୍ରସ୍ତର ଯୁଗ) ମାଟିପାତ୍ର ମିଳିଛି। ଏଥିରୁ ଅନୁମାନ କରାଯାଉଛି, ଏହି ସ୍ଥାନଟି ସେ ସମୟରେ ସାମାଜିକ ସମାବେଶ, ଧାର୍ମିକ ରୀତିନୀତି କିମ୍ବା ଗୋଷ୍ଠୀ ଭୋଜି ପାଇଁ ବ୍ୟବହୃତ ହେଉଥିଲା।
ଗବେଷକମାନଙ୍କ ମତରେ, ଏହି ଆବିଷ୍କାର ବ୍ରିଟେନର ନିଓଲିଥିକ ସମୁଦାୟ ବିଷୟରେ ପୂର୍ବରୁ ଥିବା ଧାରଣାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଏକ ହ୍ରଦ ମଝିରେ ଦ୍ୱୀପ ତିଆରି କରିବା ପାଇଁ ଯେଉଁ ପରିମାଣର ପରିଶ୍ରମ ଓ ଯୋଜନା ଆବଶ୍ୟକ, ତାହା ପ୍ରମାଣ କରୁଛି ଯେ ସେତେବେଳର ସମାଜ ବହୁତ ସଂଗଠିତ ଏବଂ ନିର୍ମାଣ ଶୈଳୀରେ ଅତି ଉନ୍ନତ ଥିଲା। ସ୍କଟ୍ଲାଣ୍ଡ୍ ଏବଂ ଆୟର୍ଲାଣ୍ଡରେ ଏଭଳି ଆହୁରି ଅନେକ ଦ୍ୱୀପ ରହିଛି, ଯାହାର ରହସ୍ୟ ଖୋଲିଲେ ଇତିହାସର ନୂଆ ଅଧ୍ୟାୟ ସୃଷ୍ଟି ହେବ।