୫ ହଜାର ସ୍କୁଲରେ ହେବ ଖେଳପଡ଼ିଆ

ଭୁବନେଶ୍ୱର,୬।୮(ବ୍ୟୁରୋ): ରାଜ୍ୟର ୫ହଜାର ବିଦ୍ୟାଳୟରେ ଖେଳପଡ଼ିଆ ନିର୍ମାଣ କରାଯିବ। ଚଳିତ ବର୍ଷ ୧ ହଜାର ବିଦ୍ୟାଳୟରେ ଖେଳପଡ଼ିଆ ହେବ। ବାକି ୪ ହଜାର ପର୍ଯ୍ୟାୟ କ୍ରମେ ୩ ବର୍ଷ ମଧ୍ୟରେ ଶେଷ ହେବ। ଶିଶୁ ଏବଂ ଯୁବପିଢ଼ୀଙ୍କ ମଧ୍ୟରେ କ୍ରୀଡ଼ା ଏବଂ ଶାରୀରିକ ସୁସ୍ଥତା ବୃଦ୍ଧି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ପ୍ରତି ଶିକ୍ଷା ବର୍ଷରେ ଖେଳ ପାଇଁ ପ୍ରାଥମିକ ବିଦ୍ୟାଳୟକୁ ୫୦୦୦ ଟଙ୍କା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୧୦,୦୦୦ ଟଙ୍କା ଏବଂ ମାଧ୍ୟମିକ ବିଦ୍ୟାଳୟକୁ ୨୫,୦୦୦ ଟଙ୍କା ଆବଣ୍ଟନ ନିମନ୍ତେ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି। ଉଚ୍ଚ ବିଦ୍ୟାଳୟସ୍ତରରେ ଶାରୀରିକ ଶିକ୍ଷା ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ୪,୪୪୫ ପିଇଟି, ହିନ୍ଦୀ ଏବଂ ସଂସ୍କୃତ ଶିକ୍ଷକ ନିଯୁକ୍ତି ପାଇଁ ଅର୍ଥ ବିଭାଗ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିବା ମନ୍ତ୍ରୀ କହିଛନ୍ତି।