୫୦ ବର୍ଷର ଜବରଦଖଲ ହଟିଲା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମନ୍ଦିରକୁ ଭୂସମ୍ପତ୍ତି ହସ୍ତାନ୍ତର

ଗଞ୍ଜାମ, ୨୦/୧୧ (ବିଦ୍ୟାଧର ସାହୁ): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ମନ୍ଦିରର ଭୂସମ୍ପତ୍ତିକୁ ବ୍ରାହ୍ମଣ ଢାମଣା ସାହି କୋଠକୁ ହସ୍ତାନ୍ତର କରାଯାଇଛି। ଗଞ୍ଜାମ ସହରର ବଡ଼ବଜାରସ୍ଥିତ ମିନି ଷ୍ଟାଡିୟମ ସମ୍ମୁଖରେ ଥିବା ଏକ ଜମିକୁ ଗୋପାଳ କୃଷ୍ଣ ମହାରଣା ଦୀର୍ଘ ୫୦ ବର୍ଷ ଧରି ନିଜ ଅକ୍ତିଆରରେ ରଖିଥିଲେ।

ଉକ୍ତ ଜମିଟି ବ୍ରାହ୍ମଣ ଢାମଣା ସାହିର ମଦନ ମୋହନ ଗୋପାଳ ସ୍ୱାମୀଙ୍କ ମନ୍ଦିରର ଭୂସମ୍ପତ୍ତି ଅଟେ। ପ୍ରାୟ ୫୦ ବର୍ଷ ପୂର୍ବେ ଏହି ଜମିକୁ ମାସିକ ୩୦ ଟଙ୍କା ଭଡ଼ା ସୂତ୍ରରେ ମହାରଣା ପରିବାରକୁ ଦିଆଯାଇଥିଲା। କିନ୍ତୁ କାଳକ୍ରମେ ମହାରଣା ପରିବାର ଜମିଟିକୁ ନିଜ ଅକ୍ତିଆରରେ ରଖିବା ସହ ଭଡ଼ା ଦେବା ବନ୍ଦ କରିଦେଇଥିଲେ। ଫଳରେ ମନ୍ଦିର ପରିଚାଳନା କମିଟି ଓ ସାହିବାସିନ୍ଦା ନ୍ୟାୟ ପାଇଁ ଆଇନର ଆଶ୍ରୟ ନେଇଥିଲେ।

କିଛି ମାସ ପୂର୍ବେ ମନ୍ଦିରର ଜମି ଖାଲି କରିବାକୁ କୋର୍ଟଙ୍କ ପକ୍ଷରୁ ରାୟ ପ୍ରକାଶ ପାଇଥିଲା। ତେବେ ଏହି ରାୟକୁ ସ୍ଥଗିତ ରଖିବା ପାଇଁ ମହାରଣା ପରିବାର ମଧ୍ୟ ଆଇନର ଆଶ୍ରୟ ନେଇଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ମାମଲା ରୁଜୁ ହେବା ସହ ବିବାଦ କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା। ଶେଷରେ ମନ୍ଦିର ସପକ୍ଷରେ ରାୟ ଆସିବା ପରେ ଜମି ହସ୍ତାନ୍ତରର ପଥ ପରିଷ୍କାର ହୋଇଥିଲା। ଏହି ଘଟଣାକୁ ନେଇ ସାହିବାସିନ୍ଦାଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।

ଜମି ହସ୍ତାନ୍ତର ସମୟରେ ଅତିରିକ୍ତ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ଙ୍କଅର, ହାଇକୋର୍ଟ ପ୍ରତିନିଧି ସୁରଜ ପାଣିଗ୍ରାହୀ, ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରଭାକର ପାଣିଗ୍ରାହୀଙ୍କ ସମେତ ବହୁ ସାହିବାସିନ୍ଦା ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share