୫ବର୍ଷର ଶିଶୁଙ୍କୁ ହତ୍ୟା କରି ରକ୍ତ ପିଇଲେ ଅଭିଯୁକ୍ତ

ଡାବୁଗାଁ,୧୧।୧(ପ୍ରଜ୍ଞାରଞ୍ଜନ ପରିଡା): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବୋରିଗାଁ ପଞ୍ଚାୟତ ଅଧୀନ ମେଣ୍ଡ୍ରା ଗ୍ରାମରେ ଗୁରୁବାର ଏକ ୫ ବର୍ଷର ଶିଶୁଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଡାବୁଗାଁ ବ୍ଲକ ବୋରିଗାଁ ପଞ୍ଚାୟତ ଅଧୀନ ମେଣ୍ଡ୍ରା ଗ୍ରାମ ସରଗୁଲି ପାହାଡରେ ଥିବା ଶିବ ମନ୍ଦିରରେ ସନାଧର ପୂଜାରୀ ମନ୍ଦିରରେ ପୂଜା କରନ୍ତି। ଗୁରୁବାର ସନାଧର ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ପରେ ତାଙ୍କର ୫ ବର୍ଷର ଶିଶୁ ଚନ୍ଦନ ଅଜାଙ୍କ ସହ ମନ୍ଦିରକୁ ଯାଇଥିଲେ। ସେତିକିବେଳେ ଗ୍ରାମର ଜଳେନ୍ଦ୍ର ସାନ୍ତା(୨୫) ନାମକ ଜଣେ ଯୁବକ ମନ୍ଦିରକୁ ଯାଇ କୌଣସି କାରଣକୁ ନେଇ ପୂଜକ ସନାଧରଙ୍କ ସହ ପାଟିତୁଣ୍ଡ କରିଥିଲେ। ଏଥିରେ ଜଳେନ୍ଦ୍ର ଉତ୍ତ୍ୟକ୍ତ ହୋଇ ଖେଳୁଥିବା ଶିଶୁପୁତ୍ର ଚନ୍ଦନଙ୍କୁ ଟେକି ଆଣି ମନ୍ଦିର ବାରଣ୍ଡାର ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ପରେ ଶିଶୁର ଡାହାଣ ହାତ ଓ ବାମ ଗୋଡକୁ ପଥରରେ ଛେଚି ଛିଣ୍ଡାଇ ଦେଇଥିଲେ। ଏପରିକି ହତ୍ୟାକାରୀ ଶିଶୁର ରକ୍ତ ପିଇଥିଲେ।

ସନାଧର ପାଟି କରିବାରୁ ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ଥିଲେ। ହେଲେ ହତ୍ୟାକାରୀ ଜଳେନ୍ଦ୍ର କଟା ହାତ, ଗୋଡ ଧରି ଦୌଡି ଫେରାର ହୋଇଯାଇଥିଲେ। ପରେ ସେ ଏହାକୁ ନିଜ ଘର ବାରିପଟେ ଜାଳେଣୀ ପାଇଁ ରଖାଯାଇଥିବା ଶୁଖିଲା ମକାଗଛ ଗଦା ତଳେ ଲୁଚାଇ ଦେଇଥିଲେ। ଏଭଳିସ୍ଥିତିରେ ଗାଁ ଲୋକେ କୌଶଳ କ୍ରମେ ହତ୍ୟାକାରୀଙ୍କୁ କାବୁ କରି ଏକ ଗଛରେ ବାନ୍ଧି ରଖି ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ଡାବୁଗାଁ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଧରି ଥାନାକୁ ପଠାଇ ଥିଲେ। ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏପରିକି ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମଧୁଶିକ୍ତା ମିଶ୍ର ଓ ସାଇଣ୍ଟିଫିକ ଟିମ୍‌ ପ୍ରମୁଖ ଘଟଣାର ତଦନ୍ତ କରି ଫେରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ଏନେଇ ମୃତକଙ୍କ ପିତା ଡାବୁଗାଁ ଥାନାରେ ଏକ ଏତଲା ଦେଇଥିଲେ। ପୋଲିସ ଏତଲାକୁ ଭିତ୍ତି କରି ଏକ ହତ୍ୟା ମାମଲା (ନଂ.୯/୨୪) ରୁଜୁ କରିଛି। ପୋଲିସ ଅଭିଯୁକ୍ତ ଜଳେନ୍ଦ୍ରଙ୍କୁ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି।