ଆଇଟି ଟାଓ୍ବାର ପରିଦର୍ଶନ କଲେ ୫-ଟି ସଚିବ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ୫-ଟି ସଚିବ ଭିକେ ପାଣ୍ଡିଆନ ସୋମବାର ଆଇଟି ଟାଓ୍ବାର ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ସତ୍ୟନଗରଠାରେ ନିର୍ମାଣାଧୀନ ବିଏମସିର ନୂଆ ବିଲଡ଼ିଂ ଏବଂ O’ ହବ୍‌ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ୨ଟି ନୂଆ ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ ହୋଇ କାର୍ଯ୍ୟକ୍ଷମ ହେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରେ ଡେଭଲପ୍‌ମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବାକୁ ଆଇବିଏମ ଓ ଡିଲୋଇଟ୍‌ ଭଳି ବହୁ ରାଷ୍ଟ୍ରୀୟ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି ।

ଏହି ଦୁଇଟି କମ୍ପାନୀ ଡେଭଲମ୍ପମେଣ୍ଟ ସେଣ୍ଟର ପ୍ରତିଷ୍ଠା କଲେ ବହୁ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୨୦୨୨ ଅକ୍ଟୋବର ମଧ୍ୟଭାଗ ସୁଦ୍ଧା ଦୁଇଟି ଯାକ ସେଣ୍ଟର କାର୍ଯ୍ୟକ୍ଷମ  ହେବାକୁ ଲକ୍ଷ୍ୟ ରଖାଯାଇଛି । ଏହାସହ  ୫-ଟି ସଚିବ ଭୁବନେଶ୍ବର ସ୍ମାର୍ଟସିଟି କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ଏଠାରେ ସାଧାରଣ ଲୋକଙ୍କ ପାଇଁ ମିଟିଂ ହଲ, କ୍ୟାଣ୍ଟିନ ଓ ପାର୍କିଂ ବ୍ୟବସ୍ଥା କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି। O’ ହବ୍‌ରେ ଦ୍ବିତୀୟ ଟାଓ୍ବାର ନିର୍ମାଣକୁ ପ୍ରାଧାନ୍ୟ ଦେଇଛନ୍ତି।

ସେଠାରେ ଇନ୍‌କ୍ୟୁବେସନ ସେଣ୍ଟର ସହ ଷ୍ଟାର୍ଟଅପ୍‌ ପାଇଁ ଆବଶ୍ୟକ ଜାଗା ଯୋଗାଇବାକୁ ଗୁରୁତ୍ୱ ଦେଇଛନ୍ତି । ଇନ୍‌ଫୋସିଟି ଅଞ୍ଚଳରେ ବହୁତଳ ବିଶିଷ୍ଟ ପାର୍କିଂ ବ୍ୟବସ୍ଥା କରିବାକୁ ୫ -ଟି ସଚିବ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ଆଇଟି କମ୍ପାନୀଗୁଡ଼ିକର ପାର୍କିଂ ସମସ୍ୟା ଦୂର ହେବ। ୫-ଟି ସଚିବଙ୍କ ସହ ଶିଳ୍ପ ସଚିବ ହେମନ୍ତ ଶର୍ମା, ବୈଷୟିକ ଓ ପ୍ରଯୁକ୍ତବିଦ୍ୟା ସଚିବ ମନୋଜ ମିଶ୍ର, ଭୁବନେଶ୍ବର ସ୍ମାର୍ଟସିଟି ଲିମିଟଚେଡର ଅଧ୍ୟକ୍ଷ ସଞ୍ଜୟ ସିଂ, ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆଙ୍କ ଓ ବହୁ ବରିଷ୍ଠ ଅଧିକାରୀ ସାମିଲ ଥିଲେ।