୨ଦିନିଆ ମାଲକାନଗିରି ଗସ୍ତରେ ୫-ଟି ସଚିବ

ମାଲକାନଗିରି/ମାଥିଲି/ଚିତ୍ରକୋଣ୍ଡା/ଖଇରପୁଟ,୨୯ା୩ (ଡି.ଏନ୍‌.ଏ.): ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ମଙ୍ଗଳବାର ୨ଦୁଇଦିନିଆ ମାଲକାନଗିରି ଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜନସାଧାରଣଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ୫-ଟି ସଚିବଙ୍କ ସହ ଉନ୍ନୟନ କମିଶନର ଅନୁ ଗର୍ଗ, ସଚିବ ଆର୍‌. ଭିନିଲ କ୍ରିଷ୍ଣା ପ୍ରମୁଖ ମଧ୍ୟାହ୍ନ ୧ଟାରେ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମାଥିଲିଠାରେ ପହଞ୍ଚତ୍ଥିଲେ। ସେଠାରେ ବିଭିନ୍ନ ସଙ୍ଗଠନ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନାକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ମାଥିଲି, ଖଇରପୁଟ ଓ କୁଡୁମୁଲୁଗୁମ୍ମା ଅଞ୍ଚଳ ପାଇଁ ହେଉଥିବା ମେଗା ଜଳସେଚନ ପ୍ରକଳ୍ପ କାମ ଖୁବ୍‌ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ସେ ମାଥିଲିସ୍ଥିତ ଶିବସାଗର ପରିଦର୍ଶନକରି ତାର ଉନ୍ନତୀକରଣ ଲାଗି ପ୍ରଶାସନିକ ଅଧିକାରୀମାନେ ଗୁରୁତ୍ୱ ଦେବାକୁ କହିଥିଲେ। ପରେ ଖଇରପୁଟ ବ୍ଲକ ବଣ୍ଡାଘାଟିର ସୀତାକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିଥିଲେ। ଏହି ପର୍ଯ୍ୟଟନ ସ୍ଥଳୀର ଉନ୍ନତି ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ବଣ୍ଡା ଜନଜାତି ମହିଳାପୁରୁଷଙ୍କର ବିଭିନ୍ନ ସମସ୍ୟା ବୁଝିଥିଲେ। ଅପରାହ୍ନରେ ପାଣ୍ଡିଆନ ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଗ୍ରାମକୁ ଯାଇଥିଲେ। ସେଠାରେ ଥିବା ଭ୍ୟୁ ପଏଣ୍ଟ ପରିଦର୍ଶନକରି ଅଞ୍ଚଳର ଜନସାଧାରଣଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଭ୍ୟୁ ପଏଣ୍ଟକୁ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା, ଏହାର ଉନ୍ନତୀକରଣ ସମ୍ପର୍କରେ ଆଲୋଚନା କରିଥିଲେ। ସନ୍ଧ୍ୟାରେ ପାଣ୍ଡିଆନ ବଡ଼ପଡ଼ାରେ ପହଞ୍ଚତ୍ ସେଠାରେ ଲୋକମାନଙ୍କ ସହ ଆଲୋଚନା କରି ସେମାନଙ୍କ କ’ଣ ସମସ୍ୟା ରହିଛି ପଚାରି ବୁଝିଥିଲେ। ସମସ୍ୟାର ତୁରନ୍ତ ସମାଧାନ ହେବ ବୋଲି ସେ ସମ୍ବନ୍ଧରେ ପ୍ରତିଶ୍ରୁତି ଦେଇଥିଲେ। ରାତିରେ ୫-ଟି ସଚିବ ପାଣ୍ଡିଆନ ବଡପଡାସ୍ଥିତ ଏସ୍‌ସିଏସ୍‌ଟି ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ସହ ବସି ରାତ୍ର ଭୋଜନ କରିଥିଲେ। ମଙ୍ଗଳବାର ରାତିରେ ସେ ବଡ଼ପଡ଼ା ବିଏସ୍‌ଏଫ୍‌ କ୍ୟାମ୍ପରେ ରହି ବୁଧବାର କାଲିମେଳା ଓ ମାଲକାନଗିରି ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ୫-ଟି ସଚିବଙ୍କ ସହ ମାଲକାନଗିରି ଜିଲାପାଳ ବିଶାଲ ସିଂ, ଜିଲା ପରିଷଦ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ମାଥିଲି, ଖଇରପୁଟ, ଚିତ୍ରକୋଣ୍ଡା ବିଡିଓ, ତହସିଲଦାରଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।