ଜିଲା କୋଷାଗାରକୁ ଗଲା ୫ କୁଇଣ୍ଟାଲ ରୁପା

ପୁରୀ ଅଫିସ,୬।୧୦: ଶ୍ରୀମନ୍ଦିରର ସାତ ଦ୍ୱାର ରୁପା ଛାଉଣି ସରିଥିବାବେଳେ କଳାହାଟ ଦ୍ୱାରର ରୁପା ଛାଉଣି ହୋଇପାରିନାହିଁ। ଆସନ୍ତା ବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ କଳାହାଟ ଦ୍ୱାରର ରୁପା ଛାଉଣି କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀଳାଦ୍ରି ଭକ୍ତନିବାସ ଷ୍ଟ୍ରଙ୍ଗ୍‌ରୁମ୍‌ରେ ୧୧ଟି ବଡ ବାକ୍ସରେ ରଖାଯାଇଥିବା ୫କୁଇଣ୍ଟାଲ୍‌ ରୁପାକୁ ମଙ୍ଗଳବାର କଡ଼ା ସୁରକ୍ଷା ମଧ୍ୟରେ ଜିଲା କୋଷାଗାରକୁ ନିଆଯାଇଛି।
ଏତେ ପରିମାଣର ରୁପାକୁ ଆସନ୍ତା ରଥଯାତ୍ରା ପର୍ଯ୍ୟନ୍ତ ନୀଳାଦ୍ରି ଭକ୍ତନିବାସ ଷ୍ଟ୍ରଙ୍ଗ୍‌ରୁମ୍‌ରେ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ସୁରକ୍ଷିତ ମଣୁ ନ ଥିବାରୁ ତାହାକୁ ଜିଲା କୋଷାଗାରକୁ ସ୍ଥାନାନ୍ତର ପାଇଁ ଗତ ୨୪ ତାରିଖରେ ଜିଲାପାଳଙ୍କୁ ଚିଠି ଲେଖିଥିଲା। ଜିଲାପାଳଙ୍କଠାରୁ ଅନୁମୋଦନ ମିଳିବା ପରେ ମଙ୍ଗଳବାର ୧୧ଟି ବଡ ଟିଣ ବାକ୍ସରେ ରୁପା ସ୍ଥାନାନ୍ତର କରାଯାଇଛି। ବାକ୍ସଗୁଡ଼ିକର ଅଲଗା ଅଲଗା ୨୨ଟି ଚାବିକୁ ଜଉମୁଦ ଦିଆଯାଇଛି। ପ୍ରାୟ ୪ଘଣ୍ଟା ଧରି ଏହି ସ୍ଥାନାନ୍ତର କାର୍ଯ୍ୟ ଚାଲିଥିଲା। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗ ମଣ୍ଡପ ଦ୍ୱାର, ମହାଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର ଏବଂ ଆଦିନୃସିଂହ ମନ୍ଦିର ଦ୍ୱାରର ରୁପା ଛାଉଣି ସରିଛି। ଆସନ୍ତା ବର୍ଷ କଳାହାଟ ଦ୍ୱାର ରୁପା ଛାଉଣି ହେବ। ଚଳିତ ବର୍ଷ ରୁପା ଛାଉଣି କାମ ହେବାର ନ ଥିବାରୁ ୫ଶହ କିଲୋଗ୍ରାମର ରୁପାକୁ ସୁରକ୍ଷିତ ଭାବେ ଜିଲା କୋଷାଗାରକୁ ସ୍ଥାନାନ୍ତର କରାଯାଇଛି। ଶ୍ରୀମନ୍ଦିରର ୭ଟି କବାଟରେ ରୁପା ଲଗାଯିବା ପରେ ଏହା ବଳକା ରୁପା। ତେବେ ଏହି ରୁପା ଉଭୟ ପ୍ଲେଟ୍‌ ଓ କାରୁକାର୍ଯ୍ୟ ଆକାରର। ଆସନ୍ତା ରଥଯାତ୍ରା ପୂର୍ବରୁ ଏହାକୁ ପୁଣି ଥରେ ଶ୍ରୀମନ୍ଦିର ପ୍ରଶାସନ ହାତକୁ ଆଣିବ ଓ ରୁପା ଛାଉଣି କାମ କରାଯିବ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନର ଚିଠି ପରେ ସୁରକ୍ଷିତ ଭାବେ ଜିଲା ଟ୍ରେଜେରିରେ ରୁପା ରଖାଯାଇଥିବା ଜିଲାପାଳ ସମର୍ଥ ବର୍ମା କହିଛନ୍ତି। ଉଲ୍ଲେଖଯୋଗ୍ୟ, ମୁମ୍ବାଇର ଜଣେ ଦାତା ଶ୍ରୀମନ୍ଦିର ୮ଟି ଦ୍ୱାରର ରୁପା ଛାଉଣି ପାଇଁ ପ୍ରାୟ ୨ଟନ୍‌ ଓଜନର ରୁପା ଦାନ କରିଥିଲେ। ମୁମ୍ବାଇରୁ କାରିଗର ଆସି ନୀଳାଦ୍ରି ଭକ୍ତନିବାସର ଅସ୍ଥାୟୀ ଷ୍ଟ୍ରଙ୍ଗ୍‌ରୁମ୍‌ରେ ରଖାଯାଇଥିବା ଏହି ରୁପାକୁ ଉତ୍କଳୀୟ କଳା ଶୈଳୀରେ ଦ୍ୱାରଗୁଡ଼ିକରେ ଛାଉଣି କରିଥିଲେ। ରୁପା ଛାଉଣି ହୋଇଥିବା ଦ୍ୱାରଗୁଡ଼ିକର କାରୁକାର୍ଯ୍ୟକୁ ଦେଖି ଶ୍ରଦ୍ଧାଳୁମାନେ ପ୍ରଶଂସା କରୁଛନ୍ତି।