ପାରୋଲରେ ଗଲେ ୫ କଏଦୀ

କେନ୍ଦୁଝର,୧୫ା୫(ଡି.ଏନ.ଏ.)-କରୋନା ସଂକ୍ରମଣ ବଢ଼ୁଥିବାବେଳେ ଜେଲରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି କଏଦୀ ସଂଖ୍ୟା ହ୍ରାସ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ସଜ୍ଜା କାଟୁଥିବା ବନ୍ଦୀଙ୍କୁ ୯୦ ଦିନିଆ ଛୁଟି(ପାରୋଲ)ରେ ଛାଡ଼ିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା କାରାଗାରରୁ ପର୍ଯ୍ୟାୟକ୍ରମେ ୩୬ କଏଦୀ ଛୁଟିରେ ଯିବେ ବୋଲି ଚୂଡ଼ାନ୍ତ ହୋଇଛି। କାରାଗାର ମହାନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଜିଲା କାରାଗାରରୁ ୫ କଏଦୀଙ୍କୁ ୯୦ ଦିନିଆ ପାରୋଲରେ ଛଡ଼ାଯାଇଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଛୁଟିରେ ଯାଇଥିବା କଏଦୀଙ୍କ ପରିବାର ଲୋକ ଆସି ସିକ୍ୟୁରିଟି ବଣ୍ଡ ପେପରରେ ଦସ୍ତଖତ କରି ସେମାନଙ୍କୁ ନିଜ ଜିମାରେ ନେଇଛନ୍ତି। ଗାଡ଼ିମୋଟର ବନ୍ଦ ଥିବାରୁ ଅନ୍ୟ କଏଦୀଙ୍କ ପରିବାର ଲୋକ ଆସି ପାରି ନ ଥିବାରୁ ସେମାନେ ପାରୋଲରେ ଯାଇ ନାହାଁନ୍ତି। ପାରୋଲରେ ଯାଇଥିବା କଏଦୀମାନେ ହେଲେ ସୁନାରାମ ମାଝୀ, ନବକିଶୋର ବେହେରା, ନନ୍ଦକିଶୋର ମୁଣ୍ଡା, ନବକିଶୋର ନାଏକ ଓ ଶିବ ଚରଣ ମହାନ୍ତ। ସମସ୍ତେ ଆଜୀବନ ସଜ୍ଜା କାଟୁଥିଲେ। କିଛିଦିନ ପୂର୍ବେ ଏହି କାରାଗାରର ୯ ଅନ୍ତେବାସୀ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନେ ଜେଲର ସ୍ବତନ୍ତ୍ର ୱାର୍ଡରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଯେ, ଏହି ଜିଲା କାରାଗାରରେ ୬୦୮ ଅନ୍ତେବାସୀ ରହିବାର ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନ ୫୬୫ ରହୁଛନ୍ତି। ସେମାନଙ୍କ ମଧ୍ୟରେ ୫୫୨ ପୁରୁଷ,୧୨ ମହିଳା ଓ ଜଣେ ଶିଶୁ ଅଛନ୍ତି। ୩୪୮ ବିଚାରଧିନ କଏଦୀ ଥିବାବେଳେ ଅବଶିଷ୍ଟ ୨୧୬ ଜଣ ଦୋଷୀସାବ୍ୟସ୍ତ ହୋଇ ବନ୍ଦୀ ଭାବେ ଅଛନ୍ତି। ଗତବର୍ଷ ମଧ୍ୟ କରୋନା ସଂକ୍ରମଣ ସମୟରେ ସବୋର୍ଚ୍ଚ ନ୍ୟାୟାଳୟ ଏଭଳି ନିର୍ଦ୍ଦେଶ ଦେବାରୁ ୩୦ କଏଦୀ ପାରୋଲରେ ଯାଇଥିଲେ।