କାର ଭିତରୁ ଲୁଟିନେଲେ ୫ଲକ୍ଷ

ଲଖନପୁର,୧୪ା୧୨(ଡି.ଏନ.ଏ.): ଝାରସୁଗୁଡା ସହର ବମ୍ବେ ଛକ ନିକଟରେ ଅଟକିଥିବା ଏକ କାର ଭିତରୁ ଦୁର୍ବୃତ୍ତମାନେ ସୋମବାର ଦିନ ଦ୍ବିପ୍ରହରରେ ୫ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ଝାରସୁଗୁଡା ଟାଉନ ଥାନା ପୋଲିସ ପହଞ୍ଚତ୍ ବିଭିନ୍ନ ରାସ୍ତା ସିଲ୍‌ କରି ଲୁଟ୍‌ ସମ୍ପର୍କରେ ଛାନ୍‌ଭିନ୍‌ ଆରମ୍ଭ କରିଛି। ହେଲେ ଫେରାର ଲୁଟେରାଙ୍କ ସମ୍ପର୍କରେ ପୋଲିସକୁ କୌଣସି ସୁରାକ ମିଳିପାରିନାହିଁ।
ସୂଚନାଯୋଗ୍ୟ, ବ୍ରଜରାଜନଗର ଗାନ୍ଧୀ ଛକର ଏକ କୋଇଲା ଟ୍ରାନ୍ସପୋର୍ଟର କର୍ମଚାରୀ ଦୀନେଶ ସାହୁ ସୋମବାର ଅପରାହ୍ନ ୧ଟାରେ ଝାରସୁଗୁଡା ବେହେରାମାଲସ୍ଥିତ ଆକ୍ସିସ୍‌ ବ୍ୟାଙ୍କରୁ ୫ଲକ୍ଷ ଟଙ୍କା ଉଠାଇ କାର୍‌ ଯୋଗେ ଗାନ୍ଧୀ ଛକ ଆସୁଥିଲେ। ଦୀନେଶଙ୍କ କୌଣସି କାମ ଥିବାରୁ ବମ୍ବେ ଛକରେ କାର୍‌ ଅଟକାଇ ଏକ ଦୋକାନକୁ ଯାଇଥିଲେ। ଏହି ସମୟରେ ପିଛା କରୁଥିବା ୨ଜଣ ଦୁର୍ବୃତ୍ତ କାର୍‌ ଭିତରୁ ଟଙ୍କା ବ୍ୟାଗଧରି ଚମ୍ପଟ ମାରିଥିଲେ। ଏହା ଜାଣିପାରି ଦୀନେଶ କାର୍‌ରେ ସେମାନଙ୍କ ପିଛା କରିଥିଲେ। ହେଲେ ସେମାନେ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ ଦୀନେଶ ଟ୍ରାନ୍ସପୋର୍ଟ ମାଲିକ ସନ୍ତୋଷ ମିଶ୍ରଙ୍କୁ ଜଣାଇଥିଲେ। ସନ୍ତୋଷ ପୋଲିସକୁ ଅବଗତ କରାଇବା ପରେ ଝାରସୁଗୁଡା ଥାନା ଆଇଆଇସି ସାବିତ୍ରୀ ବଳ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।