Categories: ବାଣିଜ୍ୟ

ଦିନକରେ ୫ ଲକ୍ଷ କୋଟିର ଅଧିକ ନିବେଶ ବୃଦ୍ଧି

ନୂଆଦିଲ୍ଲୀ,୧୮।୭: (ଅଭୟ ଦାଶ): ଗତ କିଛି ଦିନ ହେବ ଭାରତୀୟ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି। କାରଣ କ୍ରମାଗତ ଭାବେ ପୁଞ୍ଜି ବଜାରରେ ନିବେଶ ବୃଦ୍ଧି ଘଟିଛି। ଫଳରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ସୋମବାର ଭାରତୀୟ ପୁଞ୍ଜି ବଜାରରେ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ (ଶେୟାର) ବୃଦ୍ଧି ପାଇଛି। ଫଳରେ ନିବେଶକ କମ୍ପାନୀଗୁଡିକ ଦିନକରେ ପ୍ରାୟ ୫.୦୭ ଲକ୍ଷ କୋଟି ଟଙ୍କାର ନିବେଶ ଯୋଡ଼ି ପାରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୩ ଜୁଲାଇ ୧୭ରେ ବିଏସଇର ପଞ୍ଜୀକୃତ କମ୍ପାନୀଗୁଡିକର ମୋଟ ବଜାର ପୁଞ୍ଜି ପ୍ରାୟ ୫.୦୭ ଲକ୍ଷ କୋଟି ଟଙ୍କା ବଢି ୩୦୩.୫୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଏପରିକି ଗତ ସପ୍ତାହର ଶେଷ କାର୍ଯ୍ୟଦିବସର କାରବାରରେ ଏହାର ପରିମାଣ ୨୯୮.୫୨ ଲକ୍ଷ କୋଟି ଟଙ୍କା ଥିଲା। ପ୍ରଥମ ଦିନର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ୩୦ ଶେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୫୨୯.୦୩ ଅଙ୍କ ଅର୍ଥାତ ୦.୮୦% ବଢି ୬୬,୫୮୯.୯୩ ଅଙ୍କରେ ବନ୍ଦ ହୋଇଥିବାବେଳେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ନିଫ୍ଟି ୫୦ ଶେୟାର ବିଶିଷ୍ଟ ସୂଚକାଙ୍କ ୧୪୬.୯୫ ଅଙ୍କ ବା ୦.୭୫% ବୃଦ୍ଧି ପାଇ ୧୯,୭୧୧.୪୫ ଅଙ୍କରେ ବନ୍ଦ ହୋଇଛି। ଅପରପକ୍ଷରେ ସେନସେକ୍ସ ଏବଂ ନିଫ୍ଟିର ରେକର୍ଡ ଅଭିବୃଦ୍ଧି ଯୋଗୁ ବ୍ୟାଙ୍କିଂ କ୍ଷେତ୍ରରେ ନିବେଶକଙ୍କ ଉତ୍ସାହ ଏବଂ ବିଦେଶୀ ନିବେଶକଙ୍କ ଦ୍ୱାରା ନିବେଶ ବଢାଇବା ଫଳରେ ବଜାରର ଦୁଇ ପ୍ରମୁଖ ସୂଚକାଙ୍କର ସର୍ବକାଳୀନ ନୂତନ ରେକର୍ଡ ସହ କାରବାର ଉଚ୍ଚ ସ୍ତରରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ସେନସେକ୍ସ ପ୍ରଥମ ଥର ପାଇଁ ୬୭,୦୦୦ ଅଙ୍କର ନିକଟବର୍ତ୍ତୀ ହୋଇଥିବାବେଳେ ନିଫ୍ଟି ମଧ୍ୟ ପ୍ରଥମ ଥର ପାଇଁ ୨୦,୦୦୦ ଅଙ୍କ ନିକଟରେ ପହଞ୍ଚତ୍ଛି। ବିଶେଷ କରି ସୋମବାରର ଏହି ରେକର୍ଡ ସ୍ତରର ବୃଦ୍ଧି ଯୋଗୁ ଶେୟାର ବଜାରର ନିବେଶକଙ୍କ ସମ୍ପତ୍ତି ୫.୦୭ ଲକ୍ଷ କୋଟି ଟଙ୍କା ବଢିଛି। ଏପରିକି ନିବେଶକଙ୍କ ମଧ୍ୟରେ ଅଧିକ ବୃଦ୍ଧି ବ୍ୟାଙ୍କିଂ, ଫାଇନାନସିଆଲ୍‌, ଫାର୍ମା ଏବଂ ଆଇଟି କ୍ଷେତ୍ରର ଶେୟାରରେ ଦେଖିବାକୁ ମିଳୁଛି। ଅପରପକ୍ଷରେ ବିଏସଇର ମିଡକ୍ୟାପ୍‌ ଏବଂ ସ୍ମଲକ୍ୟାପ୍‌ ସୂଚକାଙ୍କ ଯଥାକ୍ରମେ ୦.୨୯% ଏବଂ ୦.୮୫ % ବୃଦ୍ଧି ପାଇ ପ୍ରଥମ ଦିନର କାରବାର ବନ୍ଦ ହୋଇଛି।

Share