ଓଡ଼ିଶା ସମେତ ୫ ରାଜ୍ୟର ୮ ଖଣି ନିଲାମ ହେଲା

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ଓଡ଼ିଶାର ୨ଟି ଖଣି ସମେତ ଦେଶର ୫ ରାଜ୍ୟରେ ଥିବା ୮ଟି କୋଇଲା ଖଣି ନିଲାମ ହୋଇଛି। କୋଇଲା ମନ୍ତ୍ରଣାଳୟ ଦ୍ୱାରା ମଙ୍ଗଳବାର ଏସବୁ ଖଣିର ଇ- ନିଲାମ କରାଯାଇଛି । ଓଡ଼ିଶାର ୨ଟି ହେଲା- ରାମପିଆ ଏବଂ ରାମପିଆ ଡିପ୍‌ ସାଇଡ୍‌ କୋଇଲା ଖଣି । ଏହି ୮ଟି ମଧ୍ୟରୁ ୫ଟି ଖଣିରୁ ସମ୍ପୂର୍ଣ୍ଣ ଖଣିଜ ଦ୍ରବ୍ୟ ଉତ୍ତୋଳନ କରାଯିବ ଏବଂ ତିନୋଟି ଖଣିରୁ ଆଂଶିକ ଭାବେ ଉତ୍ତୋଳନ କରାଯିବ । ଏହି ୮ଟି ଖଣିରେ ମୋଟ୍‌ ୨୧୫୭.୪୮ ନିୟୁତ ଟନ୍‌ କୋଇଲା ଗଚ୍ଛିତ ରହିଛି । ଏସବୁ ଖଣିର ସର୍ବାଧିକ ସଞ୍ଚୟ କ୍ଷମତା (ପିଆରସି) ବାର୍ଷିକ ୧୯.୩୧ ନିୟୁତ ଟନ୍‌ (ଏମ୍‌ଟିପିଏ) ବୋଲି ଜଣାପଡ଼ିଛି। ଛତିଶଗଡ଼ର ସୁରସା କୋଇଲା ଖଣିକୁ ମଧ୍ୟଭାରତ ମିନେରାଲ ପ୍ରାଇଭେଟ୍‌କୁ ମିଳିଥିବା ବେଳେ ମହାରାଷ୍ଟ୍ରର ଦାହେଗାଓଁ/ମକର୍ଢୋକ୍ରା ଖଣିକୁ ଆଭାସା ଫେରୋ ଆଲଏଜ୍‌ ପ୍ରାଇଭେଟ୍‌ ଲିମିଟେଡ, ଝାଡ଼ଖଣ୍ଡର ବସନ୍ତପୁରକୁ ଗଙ୍ଗାରାମଛକ ମାଇନିଂ ପ୍ରାଇଭେଟ୍‌ ଲିମିଟେଡ, ମଧ୍ୟପ୍ରଦେଶର ବାନ୍ଧଉତ୍ତକୁ ଜୟପ୍ରକାଶ ପାୱାର ଭେଞ୍ଚର୍ସ ଲିମିଟେଡ, ମହାରାଷ୍ଟ୍ର ମରକୀ-ମଙ୍ଗଲି-ଆଇଭିକୁ ସୌଭାଗ୍ୟ ମର୍ସାଣ୍ଟାଇଲ ଲିମିଟେଡ, ଝାଡ଼ଖଣ୍ଡ ଜିତପୁରକୁ ଟେରି ମାଇନିଂ ପ୍ରାଇଭେଟ୍‌ ଲିମିଟେଡ ଏବଂ ଓଡ଼ିଶାର ରାମପିଆ ଏବଂ ରାମପିଆ ଡିପ୍‌ ସାଇଡ୍‌କୁ ଝାର ମିନେରାଲ ରିସୋର୍ସେସ ପ୍ରାଇଭେଟ୍‌ ଲିମିଟେଡ ନିଲାମ ନେଇଛି।