ପୋଲ ଉପରେ ୫ ଫୁଟର ପାଣି, ଉଭୟ ପାର୍ଶ୍ୱରେ ଅଟକି ରହିଛି ଗାଡ଼ିମୋଟର

କୋରୁକୋଣ୍ଡା,୬ା୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ହେବାରୁ ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର ଏମ୍‌ଭି-୩୭ରେ ଶନିବାର ପୋଲ ଉପରେ ପ୍ରାୟ ୫ଫୁଟ ଉପରେ ପାଣି ଚାଲୁଥିବାର ଦେଖିବାକୁ ମିଳିଛି। ତେବେ ଉପରମୁଣ୍ଡରୁ ପାଣି ଅତ୍ୟଧିକ ମାତ୍ରାରେ ଆସୁଥିବାରୁ ବନ୍ୟାଜଳ ପୋଲ ଉପରେ ପ୍ରବାହିତ ହେଉଛି। ଫଳରେ ମାଲକାନଗିରିଠାରୁ ବାଲିମେଳାକୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଦୀର୍ଘଦିନ ଧରି ପୋଲ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ଶେଷ ହେଉନି। ପ୍ରତିବର୍ଷ ବର୍ଷା ଦିନେ ଏପରି ସମସ୍ୟା ଦେଖିବାକୁ ମିଳୁଛି।

ଆଗାମୀ କିଛିଦିନ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବାରୁ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଛି। ମାଲକାନଗିରିଠାରୁ ବାଲିମେଳା ଯିବା ରାସ୍ତାରେ ପୂର୍ବରୁ ତିନୋଟି ତଳିଆ ବ୍ରିଜ୍‌ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଗୋଟିଏ ବ୍ରିଜ୍‌ ଯାହାକି ଏମ୍‌ଭି-୧ର କାମ ସରିଛି। ବର୍ତ୍ତମାନ ସୁଦ୍ଧା କୋରୁକୋଣ୍ଡା ଏବଂ ଏମ୍‌ଭି-୩୭ବ୍ରିଜ କାମ ନ ସରିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।