ବିନିକା-ସୋନପୁର ମୁଖ୍ୟରାସ୍ତାରେ ୫ଫୁଟ୍‌ର ପାଣି, ଅଟକି ରହିଛି ଯାନବାହାନ

ବିନିକା, ୩୧ା୮(ଡି.ଏନ୍‌.ଏ.) ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଓ ଏନଏସି ଅଞ୍ଚଳର ବ୍ୟାପକ ଅଞ୍ଚଳକୁ ଜଳମଗ୍ନ କରିଛି ମହାନଦୀର ବନ୍ୟାଜଳ। ଏନ୍‌ଏସି ଅଧୀନ ଗୁଲାପଡାର ଟିକ୍ରପଡା ଓ କୋହ୍ଲପଡା, ବେତ୍ରପଡାର ଲୋକେ ଶନିବାରଠାରୁ ଜଳଘେରରେ ରହିଛନ୍ତି। ସେହିଭଳି ବ୍ଲକ ଅନ୍ତର୍ଗତ ସିନ୍ଦୁରପୁର ପଞ୍ଚାୟତର ମଣିଗାଁର ଝରାପଡା ଓ ସେଲେଡି ଝରାପଡାବାସୀ ମଧ୍ୟ ଜଳବନ୍ଦୀ ହୋଇ ରହିଛନ୍ତି। ଶନିବାର ଜିଲାପାଳ ମୋନୀଷା ବାନାର୍ଜୀ ବନ୍ୟା ପ୍ରଭାବିତ ଅଞ୍ଚଳ ଡଙ୍ଗାରେ ପରିଦର୍ଶନ କରିଥିଲେ। ମଣିଗାଁ ଝରାପଡାକୁ ଯାଇ ଝରା ସମ୍ପ୍ରଦାୟର ଲୋକଙ୍କ ଭଳମନ୍ଦ ବୁଝିବା ସହ ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ। ତାଙ୍କ ସହ ବିନିକା ତହସିଲଦାର ଅଲେଖ ଘୁଟା, ବ୍ଲକ ସାମାଜିକ ଅଧିକାରୀ ଅଶ୍ୱିନୀ କୁମାର ପାଣ୍ଡେ ଉପସ୍ଥିତ ଥିଲେ ା
ରବିବାର ବୀରମହାରାଜପୁର ଉପଜିଲାପାଳ ଅଶୋକ ଭୋଇ ଓ ବିନିକା ଏନ୍‌ଏସି ନିର୍ବାହୀ ଅଧିକାରୀ ଦୁଃଖୀରାମ ନାଏକ, ତହସିଲଦାର ଅଲେଖ ଘୁଟା ଏନ୍‌ଏସି ଓ ବ୍ଲ୍‌କ ଅଞ୍ଚଳର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିିଥିଲେ। ଏଥିସହ ବିନିକା ସିଦ୍ଧାର୍ଥ କଲେଜ ବନ୍ୟା ଆଶ୍ରୟସ୍ଥଳୀ, ବିନିକା ହାଇସ୍କୁଲକୁ ଯାଇ ଆଶ୍ରୟ ନେଇଥିବା ବିପନ୍ନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ପରେ ଅଧିକାରୀମାନଙ୍କ ସହ ବିନିକା ବ୍ଲକ ଭାରପ୍ରାପ୍ତ ବିଡିଓ ନିରଞ୍ଜନ ନାଏକ ବନ୍ୟା ପ୍ରଭାବିତ ମହାଦେବପାଲି ପଞ୍ଚାୟତର ଗରିଆପାଲି, ତୁଲୁଣ୍ଡୁପାଲି, ପଣ୍ଡକିଟାଲ ଓ ଝରାପଡା ପରିଦର୍ଶନ କରିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ବିନିକା ଯୁଗେଶ୍ୱର ମନ୍ଦିର ସମ୍ମୁଖ ବିନିକା-ସୋନପୁର ମୁଖ୍ୟ ରାସ୍ତା ଉପରେ ୫ଫୁଟ୍‌ ପାଣି ପ୍ରବାହିତ ହେଉଛି। ଏଥିଯୋଗୁ ଶହଶହ ଯାନବାହାନ ବିଶାଳପାଲି ଛକ୍‌ରୁ ଡଭଲା ଯାଏ ଅଟକି ରହିଛି।