କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି। ମଙ୍ଗଳପୁର ଡ୍ୟାମରୁ ପାଣି ଛଡ଼ାଯିବା ପରେ ହାତୀନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି।

ଫଳରେ ଶହ ଶହ ହେକ୍ଟର ଚାଷଜମି ବନ୍ୟାଜଳରେ ବୁଡ଼ିରହିଛି। ଅନ୍ୟପଟେ ଜୁନାଗଡ଼ ବ୍ଲକର କୁରୁଗୁଡ଼ା-ମୁର୍ଲାପଦର ରାସ୍ତାରେ ପ୍ରାୟ ୫ ଫୁଟ୍‌ ପାଣି ଜମି ରହିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏହି ରାସ୍ତା ଦେଇ ଜୁନାଗଡ଼ ବ୍ଲକର ୩ଟି ପଞ୍ଚାୟତ ସହ ଗୋଲାମୁଣ୍ଡା ବ୍ଲକକୁ ଲୋକେ ଯାତାୟାତ କରନ୍ତି। ପ୍ରତିଦିନ ବସ୍‌ ଯୋଗେ ନୂଆପଡ଼ା ଓ ବଲାଙ୍ଗୀର ଜିଲାକୁ ମଧ୍ୟ ଲୋକଙ୍କ ଯାତାୟାତ ହୋଇଥାଏ। ପାଣି ଜମିରହିଥିବାରୁ ବ୍ୟବସାୟ, ଶିକ୍ଷା ଓ ଜରୁରିକାଳୀନ କାର୍ଯ୍ୟ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।

Share