ବାରବାଟୀ-କଟକ ଆସନ ପାଇଁ ବିଜେଡିର ୫ ମୁହଁ

କଟକ, ୨୦ା୨(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଜିଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି ଜୋରଦାର ଆଲୋଚନା ହେଉଥିଲା। ତାଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଥିବାରୁ କଟକରେ ରାଜନୈତିକ ପାଣିପାଗ ବଦଳିଛି। ଶାସକ ଦଳର ପ୍ରାର୍ଥୀ ହେବା ପାଇଁ ଆଶାୟୀ ତାଲିକାରେ ୫ ଜଣଙ୍କ ନାମ ଆଗକୁ ଆସିଲାଣି।  ସେମାନେ ହେଲେ କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂ, ନିରାମୟ ଉପଦେଷ୍ଟା ଡ଼. ରଞ୍ଜନ ବିଶ୍ୱାଳ, ରାଜ୍ୟ ସାଧାରଣ ସମ୍ପାଦକ ତଥା ଅଭିନେତା ଅରିନ୍ଦମ ରାଏ, ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱଜିତ୍‌ ମହାନ୍ତି ଏବଂ ବରିଷ୍ଠ ନେତା ପ୍ରଫୁଲ୍ଲ ସିଂ। ଏପରି କି ଦଳ ମହିଳା କାର୍ଡ ମଧ୍ୟ ଖେଳିପାରେ ବୋଲି ସାଧାରଣ ଜନତା ଟୁପୁରୁଟାପୁରୁ ହେଉଛନ୍ତି।
ତେବେ ଉପରଲିଖିତ ୫ ଆଶାୟୀଙ୍କ ମଧ୍ୟରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ  ରହିଛନ୍ତି ସୁବାସ ସିଂ। ସେ ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡରୁ ରାଜ୍ୟ ସଭା ସଦସ୍ୟ ଓ ପରେ ସିଏମ୍‌ସି ମେୟର ହୋଇଛନ୍ତି। ହେଲେ ଦଳ ତାଙ୍କୁ ବଡ଼ ଦାୟିତ୍ୱ ଦେବାକୁ ଯାଇ ଟିକେଟ ଦେବ କି ନାହିଁ, ତାହା ଚର୍ଚ୍ଚାକୁ ଖୋରାକ ଯୋଗାଉଛି। ସୁବାସଙ୍କୁ ଟିକେଟ ଦେଇ ଅନ୍ୟ ଆଶାୟୀଙ୍କୁ ଉପେକ୍ଷା କରାଗଲେ ତାହାର ପ୍ରଭାବ ଦଳ ଉପରେ କ’ଣ ପଡ଼ିବ, ତାହାକୁ କର୍ମୀମାନେ ମଧ୍ୟ ଦେଖୁଛନ୍ତି।
ଦେବାଶିଷ ରାଜ୍ୟ ସଭା ପ୍ରାର୍ଥତ୍ପତ୍ର ଦାଖଲ କରିବା ଓ ବର୍ତ୍ତମାନ ସୁବାସଙ୍କୁ ଟିକେଟ ମିଳିବା ନେଇ ବେଶ୍‌ ଚର୍ଚ୍ଚା ହେଉଥିବା ନେଇ ବିଜେଡି କଟକ ନଗର ସଭାପତି ମଧୁସୂଦନ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଚର୍ଚ୍ଚାର କୌଣସି ଗ୍ୟାରେଣ୍ଟି ନାହିଁ। ଦଳ ଯାହାକୁ ଚୟନ କରିବ ସେ ଟିକେଟ ପାଇବେ। ଦେବାଶିଷଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଛି ଅର୍ଥ ବାରବାଟୀ-କଟକରୁ ଯିଏ ଯୋଗ୍ୟ, କେବଳ ତାଙ୍କୁ ହଁି ଦଳ ଟିକେଟ ଦେବ ବୋଲି ସାହୁ କହିଛନ୍ତି।