ଡଗ୍‌ ସ୍କ୍ବାଡ୍‌ କେ-୯ରେ ୫ ବେଲ୍‌ଜିଆନ ମାଲିନୋଇସ

କଟକ ଅଫିସ,୧୯ା୨: ବେଲ୍‌ଜିଆନ ମାଲିନୋଇସ ପ୍ରଜାତିର ୫ କୁକୁର ଶୁକ୍ରବାର ଓଡ଼ିଶା ପୋଲିସର ଡଗ୍‌ ସ୍କ୍ବାଡ୍‌ କେ-୯ରେ ସାମିଲ ହୋଇଛନ୍ତି। କଟକ ବକ୍ସିବଜାରସ୍ଥିତ ରିଜର୍ଭ ପୋଲିସ ପଡିଆରେ ସେମାନଙ୍କୁ ନେଇ ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଉକ୍ତ କୁକୁରମାନେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା, ଏଡିଜି(ଆଇନଶୃଙ୍ଖଳା) ଆର୍‌. କେ. ଶର୍ମା, କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଓ ଆଇଜି(ପର୍ସୋନେଲ) ଏସ୍‌. ପ୍ରବୀଣ କୁମାରଙ୍କ ସମେତ ବରିଷ୍ଠ ଆଇପିଏସ୍‌ ଅଧିକାରୀମାନେ ଉପସ୍ଥିତ ଥିଲେ।
ଡଗ୍‌ ସ୍କ୍ବାଡ୍‌ କେ-୯ ଓଡ଼ିଶା ପୋଲିସର ଏକ ଅଭିନ୍ନ ଅଙ୍ଗ। ପ୍ରଥମ ପର୍ଯ୍ୟାୟରେ ଏହି ପ୍ରଜାତିର ୫ କୁକୁରଙ୍କୁ ଉକ୍ତ ସ୍କ୍ବାଡ୍‌ରେ ସାମିଲ କରାଯାଇଥିବାବେଳେ ଆଗାମୀ ଦିନରେ ଆଉ ୧୩ କୁକୁରଙ୍କୁ ସାମିଲ କରାଯିବ। ଏହାଦ୍ୱାରା ଉକ୍ତ ସ୍କ୍ବାଡ୍‌ ଶକ୍ତିଶାଳୀ ହେବ। ଏହି କୁକୁରଙ୍କୁ ରାଜସ୍ଥାନର ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ରେ ୯ ମାସ ତାଲିମ ଦିଆଯିବା ପରେ ଅଣାଯାଇଛି। ସେମାନେ ଚୋରି, ହତ୍ୟାକାଣ୍ଡ ଭଳି ଆପରାଧିକ କାର୍ଯ୍ୟର ତଦନ୍ତରେ ସହାୟକ ହେବେ। ସେମାନଙ୍କର ଘ୍ରାଣଶକ୍ତି ପ୍ରଖର ଥିବାରୁ ଅପରାଧୀଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇପାରିବେ। ତାଲିମପ୍ରାପ୍ତ ଏହି କୁକୁରଙ୍କ ଶରୀରରେ ମାଇକ୍ରୋ ଚିପ୍‌ ଖଞ୍ଜାଯାଇଛି। ଏହି କୁକୁରର ମୂଲ୍ୟ ୭୫ରୁ ୮୦ହଜାର ଟଙ୍କା ହୋଇଥିବାବେଳେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ୩୫ ହଜାର ଟଙ୍କାରେ ଏହାକୁ ଯୋଗାଇ ଦିଆଯାଇଛି ବୋଲି କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା କହିଛନ୍ତି।
ଏହି କୁକୁର ପ୍ରଥମେ ୧୮୦୦ ମସିହାରେ ବେଲଜିୟମର ମାଲାଇନ ସହରରେ ଜନ୍ମ ହୋଇଥିବାରୁ ଏଭଳି ନାମକରଣ କରାଯାଇଛି। ଏହି କୁକୁରମାନେ ବେଶ୍‌ ଚତୁର, ବୁଦ୍ଧିମାନ ଓ ଆତ୍ମବିଶ୍ୱାସୀ ହୋଇଥାନ୍ତି। ଏମାନଙ୍କ ଉଚ୍ଚତା ୬୦ରୁ ୬୬ ସେ.ମି., ଓଜନ ୨୫ରୁ ୩୦ କେଜି ଓ ଜୀବନକାଳ ୧୨ରୁ ୧୫ ବର୍ଷ। ତେଣୁ ଏହି ପ୍ରଜାତିର କୁକୁରଗୁଡିକୁ ସୈନ୍ୟବାହିନୀ, ନୌବାହିନୀ, ଇଣ୍ଡୋ-ଟିବେଟାନ୍‌ ବର୍ଡର ପୋଲିସ(ଆଇଟିବିପି) ଓ ବିଏସ୍‌ଏଫରେ ସାମିଲ କରାଯାଇଥାଏ ବୋଲି ସିଆଇଡି କ୍ରାଇମବ୍ରାଞ୍ଚ କେ-୯ ସ୍କ୍ବାଡ୍‌ର ଡିଏସ୍‌ପି ନିଗମାନନ୍ଦ ବରାଳ କହିଛନ୍ତି।