ମଧୁବାବୁ ପେନ୍‌ସନ ଯୋଜନାରେ ଯୋଡ଼ିହେଲେ ୫.୦୫ଲକ୍ଷ ନୂଆ ହିତାଧିକାରୀ

ବାଲେଶ୍ୱର, ୧୧।୧୧(ବାଞ୍ଛାନିଧି ଦେ): ବାଲେଶ୍ୱରସ୍ଥିତ ରିଜର୍ଭ ପୋଲିସ ଲାଇନ ପଡ଼ିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାଝୀ ଜୟ ଜଗନ୍ନାଥ, ଜୟ କ୍ଷୀରଚୋରା ଗୋପୀନାଥ, ଜୟ ବାବା ପଞ୍ଚଲିଙ୍ଗେଶ୍ୱରରୁ ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ପୂର୍ବ ସରକାରଙ୍କ ସମୟରେ ଉଭୟ ରାଜ୍ୟ ଓ ଜିଲା ପାଇଁ ଏକ ନିର୍ଦ୍ଦିଷ୍ଟ କୋଟା ବ୍ୟବସ୍ଥା ରହିଥିବାରୁ ପେନ୍‌ସନ ପାଉଥିବା ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପରଲୋକ ପରେ ହିଁ ଅନ୍ୟ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ସ୍ଥାନ ମିଳୁଥିଲା। ଏହି ସମ୍ବେଦନହୀନ ଓ ଅମାନବୀୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସମାପ୍ତ କରାଯାଇଛି। ଚଳିତବର୍ଷ ବଜେଟ୍‌ରେ ୫,୦୫,୮୧୭ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ମଧୁବାବୁ ପେନ୍‌ସନ ଯୋଜନାରେ ସାମିଲ କରାଯିବା ଫଳରେ ରାଜ୍ୟରେ ସମୁଦାୟ ହିତାଧିକାରୀଙ୍କ ସଂଖ୍ୟା ୪୧, ୮୦, ୮୨୫କୁ ବୃଦ୍ଧି ପାଇଛି। ଏହି ଯୋଜନା ବର୍ତ୍ତମାନ ସମ୍ପୂର୍ଣ୍ଣତା ହାସଲ କରିଛି। ଏହି ନୂତନ ହିତାଧିକାରୀଙ୍କ ପାଇଁ ବର୍ଷକୁ ମାତ୍ର ୬୨୫ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ। ବୟୋଜ୍ୟେଷ୍ଠଙ୍କ କଲ୍ୟାଣ ପାଇଁ ଏହି ପରିମାଣ ଆମ ସରକାରଙ୍କ ଏକ ସାର୍ଥକ ବିନିଯୋଗ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ବ୍ୟବସ୍ଥାକୁ ଅଧିକ ସରଳ, ସ୍ବଚ୍ଛ ଓ ତ୍ୱରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକୀକୃତ ପେନ୍‌ସନ ପରିଚାଳନା (ୟୁପିଏମ୍‌ପି) ପୋର୍ଟାଲ ଉଦ୍‌ଘାଟନ କରିଥିଲେ। ଯୋଗ୍ୟ ବ୍ୟକ୍ତିମାନେ ଏହି ପୋର୍ଟାଲ ଜରିଆରେ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ର ଏବଂ ବିଡିଓଙ୍କ କାର୍ଯ୍ୟାଳୟ ମାଧ୍ୟମରେ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଆବେଦନ କରିଥିବା ପରମାସଠାରୁ ନିୟମିତ ଭାବେ ଭତ୍ତା ମିଳିବ ଏବଂ ୮୦ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କୁ ବର୍ଦ୍ଧିତ ୩,୫୦୦ ଟଙ୍କା ପାଇଁ ପୁନର୍ବାର ଆବେଦନ କରିବାକୁ ପଡିବ ନାହିଁ, ବରଂ ବୟସସୀମା ପୂର୍ଣ୍ଣ ହେଲେ ଏହା ସ୍ବୟଂକ୍ରିୟ ଭାବେ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଜିଲାସ୍ତରରେ ନଭେମ୍ବର ୧୧ ରୁ ୧୨ ଏବଂ ବ୍ଲକ ସ୍ତରରେ ନଭେମ୍ବର ୧୩ ରୁ ୧୪ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯେଉଁମାନେ ଏଥିରେ ଭତ୍ତା ପାଇବେ ନାହିଁ, ସେମାନେ ନଭେମ୍ବର ୨୫ ତାରିଖରେ ନିଜ ନିଜ ପଞ୍ଚାୟତ ବା ମ୍ୟୁନିସିପାଲିଟି କାର୍ଯ୍ୟାଳୟରୁ ନଗଦ ଭତ୍ତା ଗ୍ରହଣ କରିବେ ଏବଂ ଡିସେମ୍ବର ମାସଠାରୁ ପ୍ରତି ମାସର ୧୫ ତାରିଖରେ ନିୟମିତ ଭତ୍ତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ବାଲେଶ୍ୱର ଜିଲାରେ ପ୍ରାୟ ୩୪୦ କୋଟି ଟଙ୍କାର ୭୦ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ୭୮ କୋଟି ଟଙ୍କା ବ୍ୟୟରେ ୨୮ଟି ପ୍ରକଳ୍ପର ଉଦ୍‌ଘାଟନ ଏବଂ ୨୬୨ କୋଟି ଟଙ୍କାର ୪୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଶୁଭାରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କଠାରୁ ସିଧାସଳଖ ଭାବେ ମଧୁବାବୁ ପେନ୍‌ସନ ଯୋଜନାରେ ସଦର ବାଲେଶ୍ୱରରୁ ଅମୂଲ୍ୟ ଆଚାର୍ଯ୍ୟ, ଫୁଲାମଣି ମାରାଣ୍ଡି, ରେମୁଣାରୁ ଶିବା ସିଂହ, ଜୟନ୍ତୀ ସାହୁ, ନୀଳଗିରିରୁ ପ୍ରଫୁଲ୍ଲ ନାୟକ, ହୀରନ ଦାସ ଏବଂ ନୀଳଗିରି ଏନ୍‌ଏସିରୁ ଗାୟତ୍ରୀ ବେହେରା, ଗଜେନ୍ଦ୍ର ମହାପାତ୍ର ପ୍ରମୁଖ ପେନସନ ଗ୍ରହଣ କରିଥିଲେ। ଏଥିସହ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ପ୍ରସ୍ତୁତ ‘ମଧୁବାବୁ ପେନ୍‌ସନ ଯୋଜନା’ ସଚେତନତା ରଥକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ଯେଉଁଠାରେ ସ୍ବୟଂ ସହାୟକ ଗୋଷ୍ଠୀ ଅଛନ୍ତି, ସେଠାରେ କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ମଧ୍ୟ ରହିଛି। ଏବେ ମହିଳାମାନେ କେବଳ ‘ହିତାଧିକାରୀ’ ହୋଇରହିବେ ନାହିଁ, ସେମାନେ ଉଦ୍ୟୋଗୀ ହେବେ। ଆମର ଜନକଲ୍ୟାଣକାରୀ ସରକାର ହିତାଧିକାରୀଙ୍କୁ ନିଜର ପ୍ରାପ୍ୟ ଓ ଅଧିକାର ପ୍ରଦାନ ପାଇଁ ବିଶେଷ ଧ୍ୟାନ ଦେଉଛନ୍ତି ବୋଲି କହିଥିଲେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ପେନ୍‌ସନ କେବଳ ଏକ ଆର୍ଥତ୍କ ସହାୟତା ନୁହେଁ, ଏହା ମଣିଷର ଆତ୍ମସମ୍ମାନ ଓ ସାମାଜିକ ସୁରକ୍ଷାର ପ୍ରତୀକ। ଆମ ସରକାର ବିଶେଷ କରି ବୃଦ୍ଧ, ଅସହାୟ, ବିଧବା ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ କିପରି ସୁରୁଖୁରୁରେ ମାସିକ ପେନ୍‌ସନ ପ୍ରଦାନ କରାଯିବ ସେ ପ୍ରତି ବିଶେଷ ଭାବରେ ଧ୍ୟାନ ଦେଉଛନ୍ତି ବୋଲି କହିଥିଲେ। ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ସ୍ବାଗତ ଭାଷଣ ଦେଇ କହିଥିଲେ, ଆଜି ବାଲେଶ୍ୱର ଜିଲା ପାଇଁ ଏକ ସ୍ବତନ୍ତ୍ର ଅବସର। ଆଜି ଏଠାରେ ମୁଖ୍ୟମନ୍ତ୍ରୀ ନିଜେ ଯୋଗ୍ୟ ହିତାଧିକାରୀମାନଙ୍କୁ ମଧୁବାବୁ ପେନସନ ବାଣ୍ଟୁଛନ୍ତି। ନୂଆ ଓଡ଼ିଶା, ନୂଆ ଭାରତ ସ୍ବପ୍ନକୁ ସାକାର କରିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି କହିଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ, ବସ୍ତା ବିଧାୟିକା ସୁବାସିନୀ ଜେନା, ମୟୂରଭଞ୍ଜ ଏମ୍‌ପି ନବଚରଣ ମାଝୀ, ବଡ଼ସାହି ବିଧାୟକ ସନାତନ ବିଜୁଳି, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ସାରସକଣା ବିଧାୟକ ଭାଦବ ହାଁସଦା, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବିଭାଗୀୟ କମିଶନର ତଥା ଶାସନ ସଚିବ ଡ. ବୃନ୍ଦା. ଡି, ବିଭାଗୀୟ ନିର୍ଦ୍ଦେଶିକା ପାରୁଲ ପଟୱାରି ଏବଂ ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରମୁଖ ମଞ୍ଚାସୀନ ଥିଲେ। ବିଧାୟକ ମାନସ ଦତ୍ତ ଧନ୍ୟବାଦ ଦେଇଥିଲେ।

Dharitri – Odisha’s No.1 Odia Daily

Share