ଶ୍ରୀନଗର,୩୦ା୪:ପହଲଗାମ୍ ଆକ୍ରମଣ ପରେ ସୀମାରେ ଉତ୍ତେଜନା ବଢ଼ିଥିବାବେଳେ ସୁରକ୍ଷା ଦୃଷ୍ଟିରୁ କଶ୍ମୀର ଉପତ୍ୟକାର ୪୮ଟି ପର୍ଯ୍ୟଟନ ସ୍ଥଳକୁ ବନ୍ଦ କରିଦିଆଯାଇଛି। ବିପଦ ସମ୍ଭାବନାକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କେତେଜଣ ଅଧିକାରୀ କହିଛନ୍ତି। ସୁରକ୍ଷା ସ୍ଥିତିର ସମୀକ୍ଷା କରାଯାଉଥିବାବେଳେ ଆଗାମୀ ଦିନରେ ଅଧିକ ପର୍ଯ୍ୟଟନ କେନ୍ଦ୍ରକୁ ବନ୍ଦ କରାଯାଇପାରେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
୨୨ ତାରିଖରେ ଆତଙ୍କବାଦୀମାନେ ପହଲଗାମ୍ର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳରେ ଆକ୍ରମଣ କରିବାରୁ ୨୫ ଜଣ ପର୍ଯ୍ୟଟକ ଓ ଜଣେ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ଘଟିଥିଲା। ପୁନର୍ବାର ଆକ୍ରମଣ ଆଶଙ୍କାରେ ପର୍ଯ୍ୟଟନ ସ୍ଥଳକୁ ବନ୍ଦ କରାଯାଇଛି। ଆକ୍ରମଣ ପରେ ବହୁସଂଖ୍ୟାରେ ପର୍ଯ୍ୟଟକ କଶ୍ମୀର ଛାଡ଼ିବା ସହ ବୁକିଂ ବାତିଲ କରିଛନ୍ତି। ଏଲ୍ଓସିରେ ପାକିସ୍ତାନୀ ସେନା କ୍ରମାଗତ ୫ ଦିନ ହେଲା ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିମାଡ଼ କରିଚାଲିଥିବାରୁ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି।


