ଗୋଟିଏ କୋଠରିରେ ଚାଲିଛି ୪୭ ବର୍ଷର ବିଦ୍ୟାଳୟ: ଅନୁଦାନ ମିଳୁ ନ ଥିବାରୁ ବଦଳୁନାହିଁ ସ୍ଥିତି

ହାଟଡ଼ିହୀ,୧୧l୯ (ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ କୁଆଡ଼ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥା ଦେଇ ଗତି କରୁଛି। ଗୋଟିଏ ଶ୍ରେଣୀ କକ୍ଷରେ ଶିଶୁ ବାଟିକାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢ଼ୁଛନ୍ତି। ଏପରିକି ଉକ୍ତ କୋଠରିରେ ବିଦ୍ୟାଳୟର କାର୍ଯ୍ୟାଳୟ କାମ ମଧ୍ୟ ଚାଲୁଛି। ବିଦ୍ୟାଳୟର ପାଚେରି, ଶୌଚାଳୟ ନ ଥିବାରୁ ପିଲାଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସମସ୍ୟା ନେଇ ପଞ୍ଚାୟତ, ବ୍ଲକ୍‌, ଜିଲା ପ୍ରଶାସନକୁ ଅବଗତ କରାଯାଇଥିଲେ ହେଁ କୌଣସି ସୁବିଧା କରାଯାଉ ନ ଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି।
ପ୍ରକାଶ ଯେ, ୧୯୭୯ରେ ସ୍ଥାପିତ ଉକ୍ତ ବିଦ୍ୟାଳୟରେ ଶିଶୁବାଟିକାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପୂର୍ବରୁ ୬୦ ପିଲା ପଢ଼ୁଥିଲେ। ହେଲେ ବିଦ୍ୟାଳୟରେ ବିଭିନ୍ନ ଅବ୍ୟବସ୍ଥା କାରଣରୁ ପିଲାଙ୍କ ସଂଖ୍ୟା ହ୍ରାସ ପାଇ ଏବେ ୨୬ ଜଣରେ ସୀମିତ ହେଲାଣି। ଏଠାରେ ଗୋଟିଏ ମାତ୍ର କୋଠରି ଥିବାବେଳେ ସେଥିରେ କାର୍ଯ୍ୟାଳୟ ସହ ସମସ୍ତ ପିଲାଙ୍କୁ ବସାଇ ପଢ଼ାଯାଉଛି। ଶିକ୍ଷାଦାନ ପାଇଁ ଜଣେ ଶିକ୍ଷୟିତ୍ରୀ ଏବଂ ଜଣେ ଶିକ୍ଷକ ନିଯୁକ୍ତ ଅଛନ୍ତି। ଏକ ସଙ୍ଗେ ୨ ଜଣ ଶିକ୍ଷୟିତ୍ରୀଶିକ୍ଷକ ଗୋଟିଏ ଗୃହରେ ଶିକ୍ଷାଦାନ କରୁଥିବାରୁ କିଏ କେଉଁ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଉଛନ୍ତି, ପିଲାମାନେ କାହା ପାଠ ଶୁଣି କ’ଣ ବୁଝୁଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବିଶେଷକରି ପାଠପଢ଼ାରେ ବ୍ୟାଘାତ ଘଟୁଛି। ଗୃହରୁ ମଧ୍ୟ ପାଣି ଗଳୁଥିବାରୁ ବର୍ଷାଦିନରେ ବହୁ ସମସ୍ୟା ହେଉଛି। ପୁରୁଣା ଶୌଚାଳୟ ଭାଙ୍ଗିଯାଇଥିବା ବେଳେ ୨୦୧୯ରୁ ଏଠାରେ ଶୌଚାଳୟ ନ ଥିବାରୁ ପିଲାମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଝିଅପିଲାମାନେ ଏଥିପାଇଁ ଅତ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେଜଣ ଶୌଚାଳୟ ନ ଥିବାରୁ ବିଦ୍ୟାଳୟ ଆସିବାକୁ ରାଜି ହେଉନାହାନ୍ତି। ପିଲାଙ୍କ ସହ ଶିକ୍ଷୟିତ୍ରୀଶିକ୍ଷକ ବାଧ୍ୟହୋଇ ଖୋଲା ପଡ଼ିଆକୁ ଯାଉଛନ୍ତି। ବିଦ୍ୟାଳୟ ଚାରିପଟେ ପାଚେରି ନ ଥିବାରୁ ପରିସର ସମ୍ପୂର୍ଣ୍ଣ ମୁକୁଳା ପଡ଼ିଛି। ଯେକେହି ବି ଯେତେବେଳେ ଚାହିଁଲେ ବିଦ୍ୟାଳୟ ଭିତରକୁ ପଶି ଆସୁଥିବାବେଳେ ଗୋରୁ, କୁକୁର, ଛେଳି ମଧ୍ୟ ପଶି ଆସୁଛନ୍ତି। ବିଦ୍ୟାଳୟର ନାମ ଲେଖାଥିବା ପ୍ରବେଶ ଫାଟକ ନାହିଁ। ଏଭଳି ସ୍ଥିତିରେ ୨୬ ଜଣ କୁନି ପିଲାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି। ଗତ ୫ ବର୍ଷରୁ ଊର୍ଦ୍ଧ୍ୱ ହେବ ବିଦ୍ୟାଳୟକୁ କୌଣସି ପ୍ରକାର ସରକାରୀ ଅନୁଦାନ ମିଳିନାହିଁ। ବିଦ୍ୟାଳୟ କମିଟି ତରଫରୁ ବାରମ୍ବାର ବ୍ଲକ୍‌ ଶିକ୍ଷା ଅଧିକାରୀ, ଜିଲା ଶିକ୍ଷା ଅଧିକାରୀ, ଜିଲାପାଳଙ୍କୁ ଅବଗତ କରାଯାଇଛି। ହେଲେ ଅଦ୍ୟାବଧି କିଛି ଫଳ ମିଳିନାହିଁ। ସ୍ଥାନୀୟ ସମଣା ସରପଞ୍ଚ ନିଜେ ଏକ ଶୌଚାଳୟ ନିର୍ମାଣ ପାଇଁ ଲିଖିତ ଭାବେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ଏଯାବତ୍‌ ତାହା ଫାଇଲ ତଳେ ଚାପିି ହୋଇରହିଯାଇଛି।
ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ପରିଡ଼ା କହିଛନ୍ତି, ବିଦ୍ୟାଳୟର ମାତ୍ର ଗୋଟିଏ ଗୃହରେ ଅଫିସ୍‌ ଏବଂ ଶିଶୁବାଟିକାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢୁଛନ୍ତି। ବିଦ୍ୟାଳୟ ପାଇଁ ପାଚେରି, ଶୌଚାଳୟ, ଶ୍ରେଣୀଗୃହର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଅଭିଭାବକ ରଞ୍ଜନ ଜେନା କହିଛନ୍ତି, ସରକାରୀ ବିଦ୍ୟାଳୟର ଏଭଳି ଅବସ୍ଥା ହେଲେ ଆମ ପିଲା କେମିତି ପାଠ ପଢ଼ିବେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜୟଦେବ ଜେନା କହିଛନ୍ତି, ବିଦ୍ୟାଳୟରେ ଶ୍ରେଣୀ ଗୃହ, ପାଚେରି, ଶୌଚାଳୟ, ସୌନ୍ଦର୍ଯ୍ୟକରଣ ପରି ଗୁରୁତର ସମସ୍ୟା ଯୋଗୁ ଛାତ୍ରୀଛାତ୍ରଙ୍କ ସଂଖ୍ୟା କମୁଛି। ବିଦ୍ୟାଳୟରେ ଅବ୍ୟବସ୍ଥା କାରଣରୁ ଅନ୍ୟ ଗ୍ରାମରୁ ପୂର୍ବରୁ ପଢ଼ିବାକୁ ଆସୁଥିବା ଛାତ୍ରୀଛାତ୍ର ଏବେ ଏଠାରୁ ପ୍ରାୟ ୨ରୁ ୩ କି.ମି. ଦୂରରେ ଥିବା ଗୋବିନ୍ଦପୁର, ଢ଼ାଇପୋଖରୀ, ମରୁଆ, ସରିଦା ପ୍ରଭୃତି ଗ୍ରାମରେ ଥିବା ବିଦ୍ୟାଳୟକୁ ଯାଉଛନ୍ତି। ବିଦ୍ୟାଳୟ ସମସ୍ୟା ନେଇ ବ୍ଲକ୍‌ ପ୍ରଶାସନଠାରୁ ଆରମ୍ଭକରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଦୀର୍ଘ ବର୍ଷ ହେବ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ସମସ୍ୟା ଦୂର ହୋଇପାରିଲାନାହିଁ। ବିଶେଷକରି ବିଦ୍ୟାଳୟକୁ କୌଣସି ସହାୟତା ମିଳୁ ନ ଥିବାରୁ ଏହାର ସ୍ଥିତି ସୁଧୁରି ପାରୁ ନାହିଁ ବୋଲି ଜେନା କହିଛନ୍ତି। ସେହିପରି ସମଣା ସରପଞ୍ଚ ଜଗବନ୍ଧୁ କାଣ୍ଡି କହିଛନ୍ତି, ଶୌଚାଳୟ ନିର୍ମାଣ ପାଇଁ ଦେଇଥିବା ଲିଖିତ ପ୍ରତିଶ୍ରୁତି ଅନୁସାରେ ଅନୁଦାନ ଅନୁମୋଦନ ହୋଇ ବ୍ୟୟ ବରାଦ ସରିଛି। ସମସ୍ୟା ଥିବାରୁ ଶୌଚାଳୟ ନିର୍ମାଣ ହୋଇପାରିନାହିଁ। ହାଟଡ଼ିହି ଏବିଇଓ ପ୍ରମୋଦ କୁମାର ନାୟକ କହିଛନ୍ତି, ବିଦ୍ୟାଳୟ ସମସ୍ୟା ବାବଦରେ ଅବଗତ ଅଛନ୍ତି। ଏହାର ସୁଧାର ଆଣିବା ପାଇଁ ପଦକ୍ଷେପ ନିଆଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରନେତାଙ୍କ ତତ୍ପରତା: ୮ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ ହେବା ଚର୍ଚ୍ଚା

ଭବାନୀପାଟଣା,୧୧ା୯(ଉତ୍ତମ କୁମାର ଦାଶ):ଦୀର୍ଘ ୮ବର୍ଷର ବ୍ୟବଧାନ ପରେ ଛାତ୍ରସଂସଦ ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟରେ ଛାତ୍ରସଂସଦ ପୁଣି ଥରେ ଆରମ୍ଭ କରିବା ନେଇ ଉଚ୍ଚଶିକ୍ଷା…

ଓରାଙ୍ଗ୍‌ଉଟାନ ଶାବକଙ୍କ ଡିଏନ୍‌ଏ ପରୀକ୍ଷାକୁ ନେଇ ଉଠୁଛି ପ୍ରଶ୍ନବାଚୀ: ଜାଣନ୍ତୁ କାହିଁକି

ଭୁବନେଶ୍ୱର,୧୧ା୯(ରବିନାରାୟଣ ଜେନା):ବାଲେଶ୍ୱର ଜଙ୍ଗଲ ଅଞ୍ଚଳରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗ୍‌ଉଟାନ ଶାବକଙ୍କୁ ନେଇ ସବୁ ପ୍ରକାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ…

ଆମେରିକା ଛାଡ଼ିବାକୁ ‘ମିଷ୍ଟର ସିଂ’ଙ୍କୁ ଧମକ, US ବିଜ୍ଞାପନକୁ ନେଇ ହଙ୍ଗାମା

ୱାଶିଂଟନ,୧୧।୯(ପି.ଟି.): ଆମେରିକାର ‘ଡିପାର୍ଟମେଣ୍ଟ ଅଫ୍‌ ହୋମଲ୍ୟାଣ୍ଡ୍‌ ସିକ୍ୟୁରିଟି’ (ଡିଏଚ୍‌ଏସ୍‌) ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ଜାରି କରାଯାଇଥିବା ଏକ ବିଜ୍ଞାପନକୁ ନେଇ ସାରା ବିଶ୍ୱରେ ତୀବ୍ର…

ଲଘୁଚାପ ସକ୍ରିୟ: ଏହି ୧୦ ଜିଲାରେ ଛେଚିବ ବର୍ଷା, ସତର୍କ ସୂଚନା ଜାରି

ଭୁବନେଶ୍ୱର, ୧୧ା୯:ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଫଳରେ ଗୁରୁବାର ଅଧିକାଂଶ ଜିଲାରେ ବର୍ଷା ହୋଇଥିବାବେଳେ କଟକ ଜିଲା ବାଙ୍କୀଠାରେ ସର୍ବାଧିକ ୧୦୪ ମି.ମି. ବର୍ଷ…

ବାରିପଦାରୁ ୨ ଅଡିଟ୍ ଅଫିସର୍‌ଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍

ବାରିପଦା,୧୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଆଦିବାସୀ ହଷ୍ଟେଲ ଗୁଡିକର ଅଡିଟ…

ଭାରତରେ ପହଞ୍ଚିଲେ ପୁଟିନ: ଜୋରଦାର ସ୍ବାଗତ, ଜିନ୍‌ପିଙ୍ଗଙ୍କୁ ଅପେକ୍ଷା

ନୂଆଦିଲ୍ଲୀ,୧୧।୯: ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ସକାଳେ ଭାରତରେ ପହଞ୍ଚିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା ପରେ ଭାରତୀୟ ଅଧିକାରୀମାନେ…

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୧୧।୯(ପି.ଟି.): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (ବ୍ରେଣ୍ଟ କ୍ରୁଡ୍‌) ଦର ବୃଦ୍ଧି ଏବଂ ବୈଦେଶିକ ପୁଞ୍ଜି ପ୍ରତ୍ୟାହାର ଯୋଗୁ ଭାରତୀୟ ମୁଦ୍ରା ‘ଟଙ୍କା’ ମୂଲ୍ୟରେ ବଡ଼ ଧରଣର…

ଭାଙ୍ଗିଲା ସବୁ ରେକର୍ଡ: ସବୁଠୁ ଉତ୍ତପ୍ତ ମାସ ସାଜିଲା ଅଗଷ୍ଟ ୨୦୨୬

ନୂଆଦିଲ୍ଲୀ,୧୧।୯(ପି.ଟି.): ‘ଅଗଷ୍ଟ ୨୦୨୬’ ବିଶ୍ୱ ଇତିହାସରେ ସବୁଠାରୁ ଉତ୍ତପ୍ତ ମାସ ଭାବେ ରେକର୍ଡ କରିଛି। ବିଶ୍ୱର ହାରାହାରି ଭୂପୃଷ୍ଠ ବାୟୁ ତାପମାତ୍ରା ୧୬.୯୬ ଡିଗ୍ରୀ ସେଲ୍‌ସିୟସ ରହିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri