ଉତ୍କଳ ବିଶ୍ୱବିଦ୍ୟାଳୟରେ ୪୭% ପଦବୀ ଖାଲି

ଭୁବନେଶ୍ୱର,୬।୯ (ବ୍ୟୁରୋ):ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ମାନବସମ୍ବଳର ଘୋର ଅଭାବ ଦେଖାଦେଇଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ (୨୦୨୦) ବିରୋଧରେ ଏକାଧିକ ବ୍ୟକ୍ତି ବିଭିନ୍ନ କୋର୍ଟରେ ମାମଲା କରିବା ଯୋଗୁ ନିଯୁକ୍ତି ପ୍ରକ୍ରିୟାରେ ବାଧା ଉପୁଜିଛି। ଫଳରେ ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ନିକଟରେ ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଉତ୍କଳ ବିଶ୍ୱବିଦ୍ୟାଳୟରେ ୪୭ ପ୍ରତିଶତ ପ୍ରଫେସର, ସହଯୋଗୀ ପ୍ରଫେସର ଏବଂ ସହକାରୀ ପ୍ରଫେସରଙ୍କ ପଦବୀ ଖାଲି ପଡ଼ିଛି। ଏଠାରେ ଇତିହାସ, ପଦାର୍ଥ ବିଜ୍ଞାନ, ବାଣିଜ୍ୟ, ଗଣିତ ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ୨୫୭ ପଦବୀ ଥିବାବେଳେ ମାତ୍ର ୧୩୮ଜଣ କାର୍ଯ୍ୟରତ ଅଛନ୍ତି। ଅର୍ଥାତ୍‌ ୧୧୯ ପଦବୀ ବର୍ତ୍ତମାନ ଖାଲି ପଡ଼ିଛି। ତେବେ ୪୭ରୁ ୩୪ ଜଣ ପ୍ରଫେସର, ୭୬ରୁ ୪୦ ସହଯୋଗୀ ପ୍ରଫେସର ଏବଂ ୧୩୪ରୁ ୪୫ ସହକାରୀ ପ୍ରଫେସର କାର୍ଯ୍ୟରତ ଅଛନ୍ତି। କେବଳ ଶିକ୍ଷା ବିଭାଗରେ ନୁହେଁ, ଏପରିକି କର୍ମଚାରୀ କ୍ଷେତ୍ରରେ ମଧ୍ୟ ବହୁ ପଦବୀ ଖାଲି ପଡ଼ିଛି। ତେବେ ଗ୍ରୁପ-‘ଏ’ର ବିଭିନ୍ନ ବିଭାଗରେ ଥିବା ୧୩ଟି ପଦବୀରୁ ୯ଟି ସ୍ଥାନ ଖାଲି ପଡ଼ିଛି। ସେହିପରି ଗ୍ରୁପ୍‌ ‘ବି’ରେ ୧୧୩ ପଦବୀରୁ ୫୮, ଗ୍ରୁପ ‘ସି’ରେ ୪୧୫ ପଦବୀରୁ ୨୭୬ ଏବଂ ଗ୍ରୁପ ‘ଡି’ରେ ୪୩୯ ପଦବୀରୁ ୩୩୧ ସ୍ଥାନ ଖାଲି ପଡ଼ିଛି। ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ଆର୍‌ୟୁଏସ୍‌ଏ) ଯୋଜନାରେ ଉତ୍କଳ ବିଶ୍ୱବିଦ୍ୟାଳୟ ୨୦୧୯ରେ ୪୧ କୋଟିରୁ ଅଧିକ ଏବଂ ୨୦୨୧ରେ ୩୩ କୋଟିରୁ ଅଧିକ ଟଙ୍କା ଗ୍ରହଣ କରିଛି। ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ସବିତା ଆଚାର୍ଯ୍ୟ କହିଛନ୍ତି, ନିଯୁକ୍ତି କରିବାର କ୍ଷମତା ତାଙ୍କ ପାଖରେ ନାହିଁ। କୋର୍ଟର ମାମଲା ବିଚାର ପରେ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି) ଏହି ନିଯୁକ୍ତି ପରିଚାଳନା କରିବ ବୋଲି ସେ କହିଛନ୍ତି।