ହଷ୍ଟେଲ ଖାଦ୍ୟଖାଇ ୪୭ ଛାତ୍ରୀଛାତ୍ର ଅସୁସ୍ଥ

ପାଟଣାଗଡ଼, ୨୧ା୮(ପ୍ରହଲ୍ଲାଦ ପାଢ଼ୀ): ବଲାଙ୍ଗୀର ଜିଲା ପାଟଣାଗଡ ସହର ଉପକଣ୍ଠ ରାମପାଲିଠାରେ ଥିବା ଅନ୍ବେଷା ହଷ୍ଟେଲର ୪୭ଜଣ ଛାତ୍ରୀଛାତ୍ର ସୋମବାର ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇ ପଡିଥିଲେ। ସେମାନଙ୍କୁ ପାଟଣାଗଡ ଉପଖଣ୍ଡସ୍ତରୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଜଣଙ୍କୁ ଛାଡିଦେଲେ ସୁସ୍ଥତା ଅନୁଭବ କରିବା ପରେ ଅନ୍ୟମାନଙ୍କୁ ହଷ୍ଟେଲକୁ ଛାଡି ଦିଆଯାଇଛି।

ରାଜ୍ୟ ସରକାରଙ୍କ ଅର୍ବାନଏଜୁକେସନ ପ୍ରୋଗ୍ରାମର ଅନ୍ବେଷା ଯୋଜନାରେ ପାଟଣାଗଡରେ ଗୋଟିଏ ଅନ୍ବେଷା ହଷ୍ଟେଲ ରହିଛି। ଏଠାରେ ଅନୁସୂଚିତ ଜାତି ଓ ଜନଜାତିର ୩୧୦ଜଣ ଛାତ୍ରୀଛାତ୍ର ରହୁଛନ୍ତି। ସେମାନେ ହଷ୍ଟେଲରେ ରହି ସରକାରଙ୍କ ସହାୟତାରେ ନିକଟରେ ଥିବା ଓମ ଇଣ୍ଟରନ୍ୟାଶନାଲ ଇଂଲିଶ ମିଡିୟମ ସ୍କୁଲରେ ଅଧ୍ୟୟନ କରନ୍ତି। ରବିବାର ହଷ୍ଟେଲରେ ପିଲାଙ୍କୁ ମାଂସ ତରକାରୀ, ପୁରୀ ଓ ଚଣା ତରକାରୀ ଦିଆଯାଇଥିଲା। ସୋମବାର ସକାଳେ ପିଲାମାନେ ଉପମା ଓ ଚଣା ଖାଇ ସ୍କୁଲ ଯାଇଥିଲେ। ସ୍କୁଲ ପହଞ୍ଚିବାର କିଛି ସମୟ ପରେ ଜଣକା ପରେ ଜଣେ ଏହିପରି ୪୭ଜଣ ଛାତ୍ରୀଛାତ୍ରୀ ହଠାତ୍‌ ଅସୁସ୍ଥ ହୋଇ ପଡିଥିଲେ। ସେମାନଙ୍କୁ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ପରେ ଅନ୍ବେଷା ହଷ୍ଟେଲ ଯାଇ ଅତିରିକ୍ତ ସୁପରିଣ୍ଟେଣ୍ଡେଣ୍ଟ ସରିତା ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ।