Categories: ରାୟଗଡା

୪ମାସରେ ୧୦୬ ଦୁର୍ଘଟଣାରେ ୪୭ ମୃତ

ରାୟଗଡ଼ା ଅଫିସ, ୨୩।୫: ରାୟଗଡ଼ା ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲାପାଳଙ୍କ କାର୍ଯ୍ୟଳୟର ଚିନ୍ତନ କକ୍ଷରେ ଅନୁଷ୍ଠିତ ବୈଠକରେ ଏସ୍‌ପି ବିବେକାନନ୍ଦ ଶର୍ମା, ସିଡିଏମ୍‌ଓ ଡ଼ାକ୍ତର ଲାଲମୋହନ ରାଉତରାୟ ଉପସ୍ଥିତ ଥିଲେ। ସଡକ ଦୁର୍ଘଟଣାରେ ଅନେକ ଲୋକଙ୍କ ଧନ ଜୀବନ ହାନି ଘଟୁଛି। ତେଣୁ ଦୁର୍ଘଟଣାଗ୍ରସ୍ତଙ୍କ ପାଖରେ ସାଙ୍ଗେସାଙ୍ଗେ ପହଞ୍ଚତ୍ ସେମାନଙ୍କ ଜୀବନ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସଡ଼କ ଦୁର୍ଘଟଣା ହ୍ରାସ ଉପରେ ବୈଠକରେ ଆଲୋଚନା ହୋଇଥିଲା।
ଜିଲାରେ ବହୁଳ ଭାବରେ ଘଟୁଥିବା ସଡ଼କ ଦୁର୍ଘଟଣା ସ୍ଥାନ, କେଉଁ ସମୟରେ ଏବଂ କେଉଁ ମାସରେ ଅଧିକ ଦୁର୍ଘଟଣା ଘଟୁଛି ସେ ଉପରେ ୨ବର୍ଷର ତଥ୍ୟ ଉପସ୍ଥାପନ କରାଯାଇଥିଲା। ତାହାର ନିରାକରଣ ଉପରେ ଆଲୋଚନା ମଧ୍ୟ ହୋଇଥିଲା। ୨୦୨୦ରେ ୨୭୨ଟି ଦୁର୍ଘଟଣାରେ ୧୧୦ଜଣକ ମୃତ୍ୟୁ ହୋଇଛି। ୨୦୨୧ରେ ୨୯୭ଟି ଦୁର୍ଘଟଣାରେ ୧୩୩ଜଣ ଏବଂ ଚଳିତ ବର୍ଷର ୪ମାସ ଭିତରେ ୧୦୬ଟି ଦୁର୍ଘଟଣାରେ ୪୭ଜଣ ପ୍ରାଣ ହରାଇଥିବା ରିପୋର୍ଟରୁ ପ୍ରକାଶ। ଏହି ରିପୋର୍ଟକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି। ଜିଲାର ରାୟଗଡ଼ା, ଶେଷଖାଲ, ଚାନ୍ଦିଲ, ଆମ୍ବଦଳାରେ ବିଶେଷଭାବେ ଡିସେମ୍ବର, ଜାନୁୟାରୀ, ଫେବୃୟାରୀ, ଜୁନ ଏବଂ ସେପ୍ଟେମ୍ବର ମାସରେ ଅଧିକାଂଶ ଭାବରେ ଦୁର୍ଘଟଣା ଘଟୁଛି l ଏହି ଦୁର୍ଘଟଣା ଅପରାହ୍ନ ୩ଟାରୁ ୯ ମଧ୍ୟରେ ଘଟୁଥିବା ତଥ୍ୟରୁ ଜଣାପଡିଛି। ଦୁର୍ଘଟଣା ଘଟିବାର ମୁଖ୍ୟକାରଣ ଉପରେ ଆଲୋଚନା କରାଯାଇଥିଲା। ସଡ଼କ ନିର୍ମାଣ ତ୍ରୁଟି ସୁଧାରିବା ନିମନ୍ତେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ, ଗ୍ରାମୀୟ ନିର୍ମାଣ ବିଭାଗକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଟିକିରି ଥାନା ଅଧୀନ କାଳିଆପଡ଼ା ଘାଟିରେ ସଡ଼କ ଦୁର୍ଘଟଣା ଘଟୁଛି। ସଡ଼କ ନିର୍ମାଣ ତ୍ରୁଟି ସୁଧାରିବା ନିମନ୍ତେ ଜଏଣ୍ଟ କମିଟି ମାଧ୍ୟମରେ ଅନୁଧ୍ୟାନ କରିବାକୁ ଜିଲାପାଳ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ହେଲମେଟ ବ୍ୟବହାର, ନିଶାଖାଇ ଗାଡ଼ି ଚଳାଉଥିବା ଚାଳକଙ୍କୁ ଯାଞ୍ଚ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଉଥିବା ଲୋକଙ୍କୁ ପ୍ରଶଂସା ପତ୍ର ଓ ପୁରସ୍କାର ଦିଆଯିବ ବୋଲି ଆଲୋଚନା ହୋଇଛି। ଉଦ୍ଧାରକାରୀଙ୍କୁ କୌଣସି ଥାନାକୁ ଡାକାଯିବ ନାହିଁ ବୋଲି ଜିଲାପାଳ ଏସ୍‌ପି କହିଛନ୍ତି। ଏହି ବୈଠକରେ ସଡ଼କ ସୁରକ୍ଷା କମିଟି ସଦସ୍ୟ, ଟ୍ରକ୍‌ ମାଲିକ ସଂଘ, ବସ୍‌ ମାଳିକ ସଂଘ, ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ରାୟଗଡ଼ା ଆଞ୍ଚଳିକ ପରିବହନ ଅଧିକାରୀ ହେମେନ୍ଦ୍ର ନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।