୬, ୮୨୯ ପୋଲିସ ସଂକ୍ରମଣ, ୩୩ ମୃତ

ଭୁବନେଶ୍ୱର,୬ା୧୦ (ବ୍ୟୁରୋ):ଡାକ୍ତରୀ କର୍ମଚାରୀ ପରେ ପୋଲିସ ହେଉଛି କରୋନା ଯୋଦ୍ଧା। ମହାମାରୀ ସମୟରେ ଏମାନେ ମଧ୍ୟ ନିଜ ଜୀବନକୁ ଭୟ ନକରି ଲୋକଙ୍କ ସେବା କରୁଛନ୍ତି। ସଂକ୍ରମଣଙ୍କୁ ଦୂରେଇବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରଖିବା ପାଇଁ ପୋଲିସ ସର୍ବଦା ଚେଷ୍ଟା କରି ଆସିଛି। ଏପରିକି ବିଭିନ୍ନ ଛକ, ଗଳିକନ୍ଦିରେ ପୋଲିସ କଡାକଡି ଯାଞ୍ଚ କରୁଛି। ଇତିମଧ୍ୟରେ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟ ପୋଲିସରେ ୬ ହଜାର ୮୨୯ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୩୩ଜଣଙ୍କର ମୃତ୍ୟୁ ଘଟିଲାଣି। ଗୃହ ବିଭାଗର ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଏକ ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି। ମାର୍ଚ୍ଚରୁ ସେପ୍ଟେମ୍ବର ମଧ୍ୟରେ ଭୁବନେଶ୍ୱର ୟୁପିଡିରେ ସର୍ବାଧିକ ପୋଲିସ କରୋନା ସଂକ୍ରମିତ ହୋଇଛନ୍ତି। ଭୁବନେଶ୍ୱର ୟୁପିଡିରେ ୫୫୦ପୋଲିସ ଆକ୍ରାନ୍ତ ହୋଇଥିବା ବେଳେ କଟକରେ ୨୭୭ଜଣ ପୋଲିସ ଚିହ୍ନଟ ହୋଇଛନ୍ତି। ଗଞ୍ଜମରେ ୨୬୦, ପୁରୀରେ ୨୫୫ ପୋଲିସ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଭୁବନେଶ୍ୱରରେ ଥିବା ସପ୍ତମ ବାଟାଲିୟନରେ ୧୪୭ଜଣ ପୋଲିସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସବୁଠୁ ଭଲ ଖବର ହେଲା ଅର୍ଥନୈତିକ ଅପରାଧ ଶାଖାରେ କୌଣସି ଅଫିସର ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇନାହାନ୍ତି। ସେହିପରି ଭୁବନେଶ୍ୱର ଥିବା ସିକ୍ୟୁରିଟି ଓ୍ବିଙ୍ଗ୍‌ରେ ୬୮, ସ୍ପେଶାଲ ବ୍ରାଞ୍ଚରେ ୩୪, ଅନୁଗୋଳରେ ୧୨୫, ବାଲେଶ୍ୱର ୧୫୫, କେନ୍ଦ୍ରାପଡ଼ାରେ ୧୧୨ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାସହ ମୃତ୍ୟୁ ଘଟିଥିବା ପୋଲିସ କର୍ମଚାରୀଙ୍କ ପରିବାରଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା କରାଯାଉଥିବା ମନ୍ତ୍ରୀ ବିଧାନସଭାରେ ଉତ୍ତର ଦେଇଛନ୍ତି।