କୋରାପୁଟରେ କରୋନା ସ୍ଥିତି ଅସମ୍ଭାଳ: ୪,୬୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୯୭

କୋରାପୁଟ,୧୨ା୯(ସ୍ବ.ପ୍ର.): କୋରାପୁଟ ଜିଲାରେ ବର୍ତ୍ତମାନ କରୋନା ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଶନିବାର ଜିଲାରୁ ଆଉ ୯୭ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୬୩୨କୁ ବୃଦ୍ଧିପାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୭୦ ପୁରୁଷ ଏବଂ ୨୭ ମହିଳା ଅଛନ୍ତି। ପୂର୍ବ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ୨୯ ଜଣ ଓ ୬୮ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।  ଏମାନଙ୍କ ମଧ୍ୟରୁ ଜିଲାର ୪ଟି ପୌରାଞ୍ଚଳରୁ ଚିହ୍ନଟ ୪୯ଜଣଙ୍କ ମଧ୍ୟରେ ଜୟପୁରରୁ ୯, କୋରାପୁଟରୁ ୧୦, ସୁନାବେଡ଼ାରୁ ୧୫ ଓ କୋଟପାଡ଼ ଏନ୍‌ଏସିରୁ ୧୫ ଜଣ ରହିଛନ୍ତି। ସେହିପରି ଗ୍ରାମାଞ୍ଚଳରୁ ଚିହ୍ନଟ ହୋଇଥିବା ୪୮ ଜଣଙ୍କ ମଧ୍ୟରେ କୋରାପୁଟ ବ୍ଲକ ଅଞ୍ଚଳରୁ ୨, ବନ୍ଧୁଗାଁରୁ ଜଣେ, ବୋରିଗୁମ୍ମାରୁ ୪, ବୈପାରୀଗୁଡ଼ରୁ ୫, ଦଶମନ୍ତପୁରରୁ ୩, ଜୟପୁରରୁ ୪, କୋଟପାଡ଼ରୁ ୬, କୁନ୍ଦ୍ରାରୁ ୪, ଲକ୍ଷ୍ମୀପୁରରୁ ୭ ଜଣ, ନାରାୟଣପାଟଣାରୁ ଜଣେ, ପଟ୍ଟାଙ୍ଗିରୁ ୯ ଏବଂ ସେମିଳିଗୁଡ଼ା ବ୍ଲକ ଅଞ୍ଚଳରୁ ୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜିଲାରେ ସଂକ୍ରମଣ ହ୍ରାସ ପାଉ ନ ଥିବାରୁ ପୁଣି ଥରେ ଜିଲାବାସୀଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା, ଆବଶ୍ୟକ ନ ଥିଲେ ବାହାରେ ନ ବୁଲିବା, ଗୋଟିଏ ଜାଗାରେ ଏକାଠି ନ ହେବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି।