ଅଢ଼େଇ ବର୍ଷରେ ରାଜ୍ୟ ବାହାରୁ ୪୬ ଗିରଫ

ଭୁବନେଶ୍ୱର,୧୭।୭(ସତ୍ୟଜିତ୍‌ ରାଉତ): ରାଜ୍ୟରେ ଠକେଇ ମାମଲା ବଢ଼ି ଚାଲିଛି। ବିଶେଷକରି ସାଇବର ଠକମାନେ ସବୁଠୁ ଅଧିକ ସକ୍ରିୟ ହୋଇ ଉଠିଛନ୍ତି। ବିଭିନ୍ନ କୌଶଳ ଆପଣାଇ କୋଟି କୋଟି ଟଙ୍କା ଠକି ନେଉଛନ୍ତି। ଚାକିରି ଠକେଇ, ଅନ୍‌ଲାଇନ୍‌ ପୋନ୍‌ଜି ସ୍କିମ୍‌, ଚାଇନା ଡିଜିଟାଲ୍‌ ଲୋନ୍‌ ଆପ୍‌, କୋରିଅର୍‌ ଠକେଇ, ଜମି ଠକେଇ, ବ୍ୟାଙ୍କ ଠକେଇ, କ୍ରିପ୍ଟୋ ଟ୍ରେଡିଂ, ମନି ଅର୍ନିଂ ଆପ୍‌ ଆଦି ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ତଦନ୍ତ କରିବା ସହ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଲାଗିଛି। ଅଧିକାଂଶ ସାଇବର ର଼୍ୟାକେଟ ରାଜ୍ୟ ବାହାରୁ ଅପରେଟ ହେଉଥିବାରୁ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନରେ ବାଧା ସୃଷ୍ଟି ହେଉଛି। ତଥାପି ଇଓଡବ୍ଲ୍ୟୁ ଟିମ୍‌ ରାଜ୍ୟ ବାହାରକୁ ଯାଇ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ମଧ୍ୟ ଧରିବାରେ ସଫଳ ହେଉଛି। ଏହିକ୍ରମରେ ୨୦୨୧ରୁ ୨୦୨୩ ଜୁଲାଇ ଅର୍ଥାତ୍‌ ଗତ ଅଢ଼େଇ ବର୍ଷ ମଧ୍ୟରେ ରାଜ୍ୟ ବାହାରକୁ ଯାଇ ଇଓଡବ୍ଲ୍ୟୁ ୪୬ଜଣ ଠକେଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ୨୦୨୧ରେ ୮, ୨୦୨୨ରେ ୨୭ ଏବଂ ୨୦୨୩ରେ ଏପର୍ଯ୍ୟନ୍ତ ୧୧ଜଣ ଗିରଫ ହୋଇଥିବା ରବିବାର ସୂଚନା ଦିଆଯାଇଛି।
ଲୋନ୍‌ ଆପ୍‌ରେ ଠକମାନେ ଲୋକଙ୍କୁ ପ୍ରଥମେ ଅଳ୍ପ ଟଙ୍କାର ଲୋନ୍‌ ଦେଉଛନ୍ତି। ପରେ ସୁଧ ଓ ଅନ୍ୟାନ୍ୟ ଫି’ ଲଗାଇ ଅଧିକ ଟଙ୍କା ଦାବି କରୁଛନ୍ତି। ଦାବି ଅନୁଯାୟୀ ଟଙ୍କା ନ ଦେଲେ ଗ୍ରାହକଙ୍କୁ ବ୍ଲାକମେଲ୍‌ କରି ବହୁ ଟଙ୍କା ଠକି ନେଉଛନ୍ତି। ତେବେ ରାଜ୍ୟବାହାରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୭ଜଣ ଏହି ଲୋନ୍‌ ଆପ୍‌ ମାମଲାରେ ରହିଛନ୍ତି। ସେହିପରି ପୋନ୍‌ଜି ସ୍କିମ୍‌ରେ ୯ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ତେବେ ସବୁଠୁ ବଡ଼ କଥା ହେଲା ଏଭଳି ଠକେଇ ମାମଲାରେ ରାଜ୍ୟର ବିଭିନ୍ନ ସ୍ଥାନରେ ସହଯୋଗୀମାନେ ଥିବାବେଳେ ଏହାର ମାଷ୍ଟରମାଇଣ୍ଡମାନେ ଦୁବାଇ, ଚାଇନା, ହଂକଂ, ମାଲେସିଆରେ ରହି ରାକେଟ୍‌ ଚଳାଉଛନ୍ତି। ଦେଶ ବାହାରେ ରହି ଠକେଇ ଅପରେଟ୍‌ କରୁଥିବା ମାଷ୍ଟରମାଇଣ୍ଡଙ୍କ ବିରୋଧରେ ପୂର୍ବରୁ ଲୁକ୍‌ଆଉଟ୍‌ ସର୍କୁଲାର୍‌ ମଧ୍ୟ ଜାରି ହୋଇଛି। କିନ୍ତୁ ସମ୍ପୃକ୍ତ ମାଷ୍ଟରମାଇଣ୍ଡଙ୍କୁ ଧରିବା ଇଓଡବ୍ଲ୍ୟୁ ପାଇଁ ଚ୍ୟାଲେଞ୍ଜ୍‌ ହୋଇଛି।