୨୯୦୦୦ ଭୂତ କମ୍ପାନୀ ଦ୍ୱାରା ୪୪୦୦୦ କୋଟି ଟିକସ ଚୋରି: ମହାରାଷ୍ଟ୍ରରେ ସର୍ବାଧିକ…

ନୂଆଦିଲ୍ଲୀ,୮।୧ : ନକଲି ରେଜିଷ୍ଟ୍ରେଶନ ବିରୋଧରେ ଅଭିିଯାନ ସମୟରେ ଆଠ ମାସ ମଧ୍ୟରେ ୪୪,୦୧୫ କୋଟି ଟଙ୍କା ଜାଲ ଇନପୁଟ ଟ୍ୟାକ୍ସ କ୍ରେଡିଟ (ଆଇଟିସି) ସହିତ ଜଡିତ ୨୯,୨୭୩ ନକଲି କମ୍ପାନୀ ଅର୍ଥାତ ଭୂତ କମ୍ପାନୀକୁ ଜିଏସଟି ଅଧିକାରୀ ଚିହ୍ନଟ କରିଛନ୍ତି। ଏହା ଦ୍ୱାରା ୪,୬୪୬ କୋଟି ଟଙ୍କା ରାଜସ୍ବ ସଞ୍ଚୟ ହୋଇପାରିଛି। ସରକାର ଏହି ସୂଚନା ଦେଇଛନ୍ତି।

ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ୪,୧୫୩ ସେଲ କମ୍ପାନୀ ଚିହ୍ନଟ ହୋଇଥିଲା। ସେମାନେ ପ୍ରାୟ ୧୨,୦୩୬ କୋଟି ଟଙ୍କା ଆଇଟିସି ଚୋରି ଘଟଣାରେ ସମ୍ପୃକ୍ତ ଥିଲେ। କେନ୍ଦ୍ରୀୟ ଜିଏସଟି ଅଧିକାରୀମାନେ ଏହି ନକଲି କମ୍ପାନୀଗୁଡିକ ମଧ୍ୟରୁ ୨,୩୫୮ ଚିହ୍ନଟ କରିଛନ୍ତି। ସେଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୯୨୬ କମ୍ପାନୀ ଚିହ୍ନଟ ହୋଇଛି। ସେହିପରି ରାଜସ୍ଥାନରେ ୫୦୭, ଦିଲ୍ଲୀରେ ୪୮୩ ଏବଂ ହରିୟାଣାରେ ୪୨୪ ଟି କମ୍ପାନୀ ଚିହ୍ନଟ ହୋଇଥିଲା।

ମନ୍ତ୍ରଣାଳୟ ଅନୁଯାୟୀ, ଏହି ମାମଲାରେ ୪୧ ଜଣଙ୍କୁ ଗିରଫ କରାଯାଇଥିଲା। ସେଥିମଧ୍ୟରୁ କେନ୍ଦ୍ରୀୟ ଜିଏସଟି ଅଧିକାରୀଙ୍କ ଦ୍ୱାରା ୩୧ ଜଣ ଗିରଫ ହୋଇଥିଲେ। ଅକ୍ଟୋବର-ଡିସେମ୍ବର ତ୍ରୟମାସିକରେ ଏହି ଅଭିଯାନ ୧,୩୧୭ କୋଟି ଟଙ୍କା ରାଜସ୍ବ ସଞ୍ଚୟ କରିବାରେ ସାହାଯ୍ୟ କରିଥିଲା, ସେଥିମଧ୍ୟରୁ ୩୧୯ କୋଟି ଟଙ୍କା ଉଦ୍ଧାର କରାଯାଇଥିଲା ଏବଂ ଆଇଟିସି ଅବରୋଧ କରି ୯୯୭ କୋଟି ଟଙ୍କା ସୁରକ୍ଷିତ କରାଯାଇଥିଲା।

ମନ୍ତ୍ରଣାଳୟ କହିଛି ଜିଏସଟି ପଞ୍ଜୀକରଣ ପ୍ରକ୍ରିୟାକୁ ମଜବୁତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ପଞ୍ଜୀକରଣ ସମୟରେ ବାୟୋମେଟ୍ରିକ ଆଧାରିତ ଆଧାର ପ୍ରାମାଣିକରଣର ପାଇଲଟ ପ୍ରକଳ୍ପ ଗୁଜରାଟ, ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶରେ ଆରମ୍ଭ ହୋଇଛି।

 

Share