ଗୋଟିଏ ଦିନରେ ୪୪ ପ୍ରତିଶତ ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ ପଜିଟିଭ୍‌ ହାରରେ ବୃଦ୍ଧି ଘଟିଛି। ସେହିପରି ସୁସ୍ଥତା ହାରରେ ମଧ୍ୟ ବୃଦ୍ଧି ହୋଇଛି। ଗୋଟିଏ ଦିନରେ ଦୈନିକ ସଂକ୍ରମଣ ୪୪ ପ୍ରତିଶତ ବଢ଼ିଛି। ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ୬୧ ହଜାର ଟପିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୯ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଏହା ୯,୫୨୯ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୬,୯୨୫ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧୫ ଥିଲା।
ଏହି ସମୟରେ ସକ୍ରିୟ ମାମଲା ୬୧ ହଜାର ୧୩ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୬୩ ହଜାର ୩୮୦ ଥିଲା। ସେହିପରି ୨୪ ଘଣ୍ଟାରେ ୯,୨୧୩ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୯,୦୧୧ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୧ ହଜାର ୩୯୮ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୯ ଲକ୍ଷ ୫ ହଜାର ୮୨୭ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୩ ଲକ୍ଷ ୨୩ ହଜାର ୪୫ ଜଣ ସୁସ୍ଥ ହୋଇ ସାରିଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୮.୬୬ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୪.୪୯ ପ୍ରତିଶତ ରହିଛି। ଦୈନିକ ସଂକ୍ରମଣ ୫.୩୮ ପ୍ରତିଶତ ରହିଛି। ଏବଂ ସାପ୍ତାହିକ ସଂକ୍ରମଣ ୫.୬୧ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୮ ପ୍ରତିଶତରେ ପହଞ୍ଚିଛି।

Share