ଚିଲିକାରୁ ୪୩୦ ଏକର ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୩୦।୭(ଡି.ଏନ୍‌.ଏ.): ଚିଲିକାକୁ ନେଇ ମତ୍ସ୍ୟଜିବୀ, ପେଷାଦାର ମତ୍ସ୍ୟଜୀବୀ ଏବଂ ପ୍ରଶାସନ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଗୁରୁବାର ଠାରୁ ଚିଲିକାରୁ ଘେରି ଉଚ୍ଛେଦ ପ୍ରକିୟା ଆରମ୍ଭ ହୋଇଛି ା ପୁରୀ ଜିଲା ପ୍ରଶାସନ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଘେରି ଉଚ୍ଛେଦ କରାଯାଇଛି। ଗୁରୁବାର ସୋଲାକୁଦି ଏବଂ ବନମାଳ ଅଞ୍ଚଳରୁ ୪୩୦ଏକର ଚିଲିକାରେ ହୋଇଥିବା ମାଟି ଘେରି ବନ୍ଧକୁ ପ୍ରଶାସନ ଉଚ୍ଛେଦ କରିଛି। କୃଷ୍ଣପ୍ରସାଦ ତହସିଲଦାର ଉଲ୍ଲାସ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ୨ଟି ଜେସିବି ମେସିନ ଏବଂ ୧୦୦ଜଣ ଶ୍ରମିକଙ୍କୁ ନେଇ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ଶାାନ୍ତିଶୃଙ୍ଖଳା ପାଇଁ କୃଷ୍ଣପ୍ରସାଦ ଆଇଆଇସି ଦିଲୀପ କୁମାର ସ୍ବାଇଁଙ୍କ ନେତୃତ୍ୱରେ ୪ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଚିଲିକାକୁ ସମ୍ପୂର୍ଣ ଘେରି ମୁକ୍ତ କରିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ ବୋଲି ତହସିଲଦାର ସେଠୀ କହିଛନ୍ତି। କରୋନା ସମୟରେ ଲୋକମାନେ ହାତବାନ୍ଧି ଘରେ ବସିଥିବା ବେଳେ ପ୍ରଶାସନର ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛ। ଚିଲିକା ଉପରେ ନିର୍ଭର କରି ଚଳୁଥିବା ଅଧିବାସୀଙ୍କ ଉପରେ ପ୍ରଶାସନ ଚୁଲିରେ ପାଣି ଢାଳିବା ଭଳି କାର୍ଯ୍ୟ କରୁଛି ବୋଲି ଚିଲିକା ଉପକୂଳବାସୀ କହିଛନ୍ତି। କରୋନାରୁ ମୁକ୍ତି ପର୍ଯ୍ୟନ୍ତ ସରକାର ଘେରି ଉଚ୍ଛେଦ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ଚିଲିକା ଉପରେ ନିର୍ଭର କରି ଚଳୁଥିବା ଅଧିବାସୀମାନେ ସରକାରଙ୍କୁ ନିବେଦନ କରିଛନ୍ତି। ଉଚ୍ଛେଦ କାର୍ଯ୍ୟକ୍ରମରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବିଭାଗ କନିଷ୍ଠଯନ୍ତ୍ରୀ ଡମ୍ବୁରୁଧର ବିଶ୍ୱାଳ, ରାଜସ୍ବ ସୁପରଭାଇଜର ମଧୁସୂଦନ ସ୍ବାଇଁ, ରାଜସ୍ବ ନିରୀକ୍ଷକ ଦିଲୀପ କୁମାର ଜେନା, ସରୋଜ ନାୟକ, ଜ୍ୟୋତି ରଞ୍ଜନ ବେହେରା, ତପନ ରାଉତରାୟ, ରାଜୀବ ଲୋଚନ ସାହୁ, ରାଜସ୍ବ ବିଭାଗ କର୍ମଚାରୀ ଗୋବର୍ଦ୍ଧନ ପାତ୍ର, କୃଷ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ସହାୟତା କରିଥିଲେ।