ବ୍ରହ୍ମପୁର, ୨୭।୧୧ (ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ଗ୍ରାମରେ କୋଠିଶାଳ ଯାତ୍ରା ଅବସରରେ ଜଣେ କଳାକାର ମଞ୍ଚ ଉପରେ ଶହ ଶହ ଦର୍ଶକଙ୍କ ସମ୍ମୁଖରେ ଜିଅନ୍ତା କୁଚିଆ ମାଛ ଖାଉଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କୁଚିଆ ମାଛଟି ସାପ ଭଳି ଦେଖାଯାଉଥିବାରୁ ଏହାକୁ ନେଇ ଭ୍ରମ ସୃଷ୍ଟି ହୋଇଥିଲା।
ଘଟଣାଟି ଗତ ୧୭ ତାରିଖରେ ଘଟିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଏହାକୁ ନେଇ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଶୁକ୍ରବାର ବନ ବିଭାଗର ଏକ ଟିମ୍ ଗ୍ରାମରେ ପହଞ୍ଚି ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, କୋଠିଶାଳ ଯାତ୍ରା ଅବସରରେ ଗତ ୧୬ ତାରିଖରେ ଦୁଇଟି ନାଟକ ଦଳ ନିଜ ନିଜର ନାଟକ ପରିବେଷଣ କରିଥିଲେ। ବଉଳଝୋଳି ଗ୍ରାମର ଏକ ନାଟକ ଦଳ ଲାଞ୍ଜିଆରେ ରାମାୟଣ ନାଟକ ପରିବେଷଣ କରୁଥିବା ବେଳେ ଅନ୍ୟପଟେ ଅଡ଼ବାର ଏକ ନାଟକ ଦଳ ମଧ୍ୟ ନାଟକ ପରିବେଷଣ କରିଥିଲା।
ତେବେ ୧୭ ତାରିଖ ରାତିରେ ଜଣେ କଳାକାର ମଞ୍ଚ ଉପରେ ଦର୍ଶକଙ୍କ ସମ୍ମୁଖରେ ଜୀଅନ୍ତା କୁଚିଆ ମାଛ ଖାଇଥିଲେ। ଅନ୍ୟପକ୍ଷରେ, କେତେକ ପଶୁପ୍ରେମୀ ଏହାକୁ ଜିଅନ୍ତା ସାପ ଖାଇବା ଘଟଣା ବୋଲି ଦର୍ଶାଇ ପ୍ରତିବାଦ କରିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ଲାଞ୍ଜିଆ ସରପଞ୍ଚ ଅନୀଲ କୁମାର ଗୌଡ଼ ସେଠାରେ ପହଞ୍ଚି ଏଭଳି ଉଦ୍ବେଗଜନକ ଦୃଶ୍ୟ ବନ୍ଦ କରିବା ପାଇଁ ନାଟକ ଦଳର ମ୍ୟାନେଜରଙ୍କୁ କହିଥିଲେ। ତେବେ ନାଟକ ୧୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ବୋଲି ସରପଞ୍ଚ ସୂଚନା ଦେଇଛନ୍ତି।
ଘଟଣାକୁ ନେଇ ବନ ବିଭାଗର ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।