କଟକ ସଦର,୨୦ା୧୧(ସୁଶାନ୍ତ କୁମାର ଜେନା): ୪୨ ମୌଜାର ଜୀବନ ରେଖା କୁହାଯାଉଥିବା କାଠଯୋଡ଼ି ନଦୀର ଝିଙ୍କିରିଆ ସେତୁଟି ଏବେ ସଙ୍କଟଜନକ ପରିସ୍ଥିତିରେ ରହିଛି। ୪୦ ବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦାରା ନିର୍ମିତ ସେତୁର ଖୁଣ୍ଟ ନିକଟରୁ ପ୍ରତ୍ୟେକ ଦିନ ବାଲି ଚୋରାରେ ଉଠାଯାଉଛି। ଫଳରେ ଖୁଣ୍ଟ ଦୁର୍ବଳ ହେବାରେ ଲାଗିଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଜନ ସଚେତନତା ଅଭାବରୁ ଏହି ବେଆଇନ ବାଲି ଉଠାଣ ଉପରେ କାହାର ଦୃଷ୍ଟି ପଡୁ ନ ଥିବା କୁହାଯାଉଛି। ୧୯୮୫ରେ ୪୨ ମୌଜାର ପ୍ରଥମ ସେତୁ ଭାବେ ନିର୍ମାଣ କରାଯାଇଥିଲା। ବିଶେଷକରି ବର୍ଷାଦିନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଥିବା ଏହି ତ୍ରିକୋଣ ଭୂମି ଅଞ୍ଚଳ ସବୁଦିନ ପାଇଁ କଟକ ସହର ସହିତ ଯୋଗାଯୋଗ ସ୍ଥାପନ କରିଥିଲା। ବର୍ଷାଦିନ ବ୍ୟତୀତ ନଦୀ ବାଲିରେ ଖରାଦିନିଆ ରାସ୍ତା ନିର୍ମାଣ କରାଯାଉଥିଲେ ସୁଦ୍ଧା ଭାରି ଯାନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଓ କଟକ ସଦର ବିଧାୟକ ଏହି ସମସ୍ୟା ଉପରେ ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।