ସ୍କୁଲ ହଷ୍ଟେଲରୁ ୪୧ ଛାତ୍ରୀ କରୋନା ପଜିଟିଭ

ଚନ୍ଦ୍ରପୁର,୫ା୮(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ସଦର ସ୍ଥିତ ସରକାରୀ ଏଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲରୁ ୪୧ ଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବୁଧବାର ୧୨ ଛାତ୍ରୀ ଏବଂ ଗୁରୁବାର ୨୯ ଛାତ୍ରୀଙ୍କ ଆଣ୍ଟିଜେନ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ଏହାପରେ ପିଲାମାନଙ୍କୁ ଆଇସୋଲେଶନରେ ରଖାଯିବା ସହ ଏକ ସ୍ବାସ୍ଥ୍ୟ ଟିମ୍‌ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ଅଧିକ ସଂକ୍ରମଣ ରୋକିବା ନିମନ୍ତେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ଜିଲାପାଳ ସ୍ବଧା ଦେବ ସିଂଙ୍କ ନିର୍ଦ୍ଦେଶରେ ଉକ୍ତ ୨୯ ଛାତ୍ରୀଙ୍କ ଆର୍‌ଟି-ପିସିଆର୍‌ ପରୀକ୍ଷା ନିମନ୍ତେ ଶୁକ୍ରବାର ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଛି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡିଡବ୍ଲ୍ୟୁଓ ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୩୦୦ ଛାତ୍ରୀ ଏହି ବିଦ୍ୟାଳୟ ହଷ୍ଟେଲରେ ରହି ପଢ଼ୁଛନ୍ତି। ପ୍ରଥମେ କେତେଜଣ ଛାତ୍ରୀ ଅସୁସ୍ଥ ଅନୁଭବ କରିବାରୁ ୩ ତାରିଖରେ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କ ଆଣ୍ଟିଜେନ୍‌ ପରୀକ୍ଷା କରାଇଥିଲେ। ଗୋଟିଏ ସ୍କୁଲରୁ ଏତେ ସଂଖ୍ୟାରେ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ପ୍ରଶସନ ଅଧିକ ସତର୍କ ହୋଇଛି। ଜିଲାରେ ମଙ୍ଗଳ ବିଭାଗ ଅଧୀନରେ ଥିବା ଅନ୍ୟ ସ୍କୁଲଗୁଡ଼ିକରେ ମଧ୍ୟ ସତର୍କତା ପଦକ୍ଷେପ ନେବାକୁ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।