୪୦୦ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ଖୋର୍ଦ୍ଧା ଅଫିସ,୨୧।୧: ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ୪୦୦ ଗ୍ରାମ ବ୍ରାଉନସୁଗାର, ନଗଦ ୨୬ ହଜାର ଟଙ୍କା ସହ ୨ଜଣଙ୍କୁ ପୋଲିସ ଗିରଫ କରିଛି। ପୋଲିସ ତାଙ୍କଠାରୁ ଏକ ବୋଲେରୋ ଗାଡ଼ି ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧାର ସନ୍ଦୀପ ମହାନ୍ତି ଏବଂ ଢେଙ୍କାନାଳ ସଦର ଥାନା ଅଞ୍ଚଳର ଗଣେଶ୍ୱର ବେହେରା।

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ । ଏହା ବିହାରରୁ ଖୋର୍ଦ୍ଧା ଆସୁଥିବା ଜଣାପଡିଛି। କୌଣସି ସୂତ୍ରରୁ ଖବରପାଇ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସଦର ଏସ୍‌ଡିପିଓ, ଟାଉନ ଅଧିକାରୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଗଡ଼ହଳଦିଆ ନିକଟରେ ଚଢ଼ାଉ କରିଥିଲା। ପୋଲିସ ଯାଞ୍ଚ ବେଳେ ଗାଡିରୁ ଜଣଙ୍କଠାରୁ ୩୫୦ ଓ ଆଉ ଜଣଙ୍କଠାରୁ ୫୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଶୁକ୍ରବାର ଟାଉନ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ ଏହି ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସଦର ଏସ୍‌ଡିପିଓ ଦିଲୀପ ଦାସ, ଥାନା ଅଧିକାରୀ ତାରିକ ଅହମଦ ପ୍ରମୁଖ ଉପସ୍ଥିତ ଥିଲେ।