ନୂଆଦିଲ୍ଲୀ,୨୩ା୮:ଦେଶର ୪୦ ପ୍ରତିଶତ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବାବେଳେ ୩୩% ମୁଖ୍ୟମନ୍ତ୍ରୀ ସେମାନଙ୍କ ନାଁରେ ହତ୍ୟା ଉଦ୍ୟମ ଭଳି ଗମ୍ଭୀର ମାମଲା ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ନିର୍ବାଚନୀ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ଏନ୍ଜିଓ ଆସୋସିଏଶନ୍ ଫର୍ ଡେମୋକ୍ରାଟିକ୍ ରିଫମର୍ସ (ଏଡିଆର୍) ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି। ୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୧୨ ଜଣ ଅର୍ଥାତ୍ ୪୦ ପ୍ରତିଶତ ସେମାନଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବା ନେଇ ଘୋଷଣା କରିଛନ୍ତି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କ ନାମରେ ସର୍ବାଧିକ ୮୯ ମାମଲା ବିଚାରାଧୀନ ରହିଛି। ତାଙ୍କ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କ ବିରୋଧରେ ୪୭ ମାମଲା ରହିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ୧୯, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ୧୩ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ନିଜ ବିରୋଧରେ ୫ ମାମଲା ରହିଥିବା ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ଦେବେନ୍ଦ୍ର ଫଡ୍ନବିସ ଓ ହିମାଚଳ ପ୍ରଦେଶର ସୁଖବୀନ୍ଦର ସିଂ ସୁଖୁଙ୍କ ବିରୋଧରେ ୪ଟି ଲେଖାଏ ମାମଲା ରହିଥିବାବେଳେ କେରଳର ପି. ବିଜୟନଙ୍କ ନଁାରେ ୨ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ଙ୍କ ବିରୋଧରେ ଗୋଟିଏ ମାମଲା ରହିଛି। ସଙ୍ଗିନ ମାମଲାରେ ୩୦ ଦିନ ପାଇଁ ଗିରଫ ହେଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ପଦରୁ ହଟାଇବା ନେଇ କେନ୍ଦ୍ର ସରକାର ଆଣିଥିବା ୩ ବିଲ୍ ସଂସଦରେ ପାରିତ ହେବା ପରେ ଏଡିଆର୍ ପକ୍ଷରୁ ଉପରୋକ୍ତ ରିପୋର୍ଟ ପ୍ରକାଶିତ ହୋଇଛି।


