୪୦ ଲକ୍ଷ ଟପିଲା ଟିକାକରଣ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ରାଜ୍ୟରେ ଏବେ ଦୈନିକ ୨ଲକ୍ଷ ଟିକାକରଣ ଳକ୍ଷ୍ୟ ରଖାଯାଇଛି। ଟିକା ଅଭାବ ସତ୍ତ୍ୱେ ସବୁବର୍ଗର ଟିକାକରଣରେ ଓଡ଼ିଶା ଜାତୀୟ ହାର ତୁଳନାରେ ଆଗରେ ରହିଛି। ଏବେ ରାଜ୍ୟର ଟିକାକରଣ ୪୦ଲକ୍ଷ ଟପିଛି। ଶୁକ୍ରବାର ୧,୯୮,୫୮୮ଜଣଙ୍କୁ ଟିକା ଦିଆଯାଇଥିବାବେଳେ ମୋଟ ୪୧,୮୩,୪୬୬ ଟିକାକରଣ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୫,୮୧,୨୯୧ ଟିକା ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଇଥିବାବେଳେ ୩,୩୮,୪୦୫ ସମ୍ମୁଖ ଯୋଦ୍ଧା, ୧୨,୫୪,୯୯୯ ଟିକା ୪୫ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଓ ୨୦,୦୮,୭୭୧ ଟିକା ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ନେଇଛନ୍ତି। ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟରେ ଟିକାକରଣକୁ ଆହୁରି ବ୍ୟାପକ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ଯଥାଶୀଘ୍ର ଟିକା ଯୋଗାଇବାକୁ ପୁଣି କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର।
ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ଟିକା ଯୋଗାଇବାକୁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି, ରାଜ୍ୟରେ ଟିକାରକଣ ସଫଳ ହୋଇଛି। ଆମେ ଦୈନିକ ୩ଲକ୍ଷ ଟିକା ଦେବା ପାଇଁ ଯୋଜନା କରୁଛୁ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଟିକା ଯୋଗାଣା କମ୍‌ ରହୁଥିବାରୁ ଦୁଇ ତୃତୀୟାଂଶ ଟିକାକରଣ କେନ୍ଦ୍ର ବନ୍ଦ କରିସାରିଲୁଣି। କେତେକ ଜିଲାରେ ଏବେ ଟିକା ନ ଥିବାରୁ ଟିକାକରଣ କାର୍ଯ୍ୟକ୍ରମ ପୂରା ବନ୍ଦ ହୋଇଯାଇଛି। ଏହି ଅଭିଯୋଗ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନାହିଁ। ଆସନ୍ତା ୧୧ରୁ ୧୪ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଟିକା ଉତ୍ସବ ହେବ ବୋଲି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ କହିଛନ୍ତି। ତେଣୁ ଅତିକମ୍‌ରେ ୨୫ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଟିକା ପଠାଯାଉ। ଟିକା ଆସିଲେ ଆମେ ‘ଟିକା ଉତ୍ସବ’ ସଫଳ କରିପାରିବୁ ଏବଂ ରାଜ୍ୟରେ ଟିକାରକଣ କାର୍ଯ୍ୟକ୍ରମରେ ମଧ୍ୟ ଉନ୍ନତି ଆସିବ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି।
ରାଜ୍ୟରେ ୧୪୦୦ ଟିକାକରଣ କେନ୍ଦ୍ର ହୋଇଥିଲା। କିନ୍ତୁ ଟିକା ଅଭାବ ଯୋଗୁ ୭୦୦ରୁ ଊର୍ଦ୍ଧ୍ୱ କେନ୍ଦ୍ର ବନ୍ଦ ହୋଇଯାଇଛି। ଏପରି କି ସୋନପୁର ଓ କୋରାପୁଟ ଜିଲାରେ ଗୁରୁବାର ଟିକାକରଣ ପୂରା ବନ୍ଦ ହୋଇଯାଇଥିଲା। କିନ୍ତୁ ଶୁକ୍ରବାର ସବୁ ଜିଲାକୁ ଟିକା ଯୋଗାଣ ପରେ ଟିକାକରଣ ହୋଇଥିବା ଜଣାପଡ଼ିଛି। ସେପଟେ ଶନିବାର ଆଉ ୨ ଲକ୍ଷ ୫୦ହଜାର ଡୋଜ୍‌ କୋଭିଶିଲ୍ଡ ଟିକା ଆସିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।