Categories: ରାଜ୍ୟ

୪ ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଇନ୍‌ଫୋସିଟି ନାବାଳିକା ଗଣବଳାତ୍କାର ମାମଲାରେ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ ବ୍ରାଞ୍ଚ। ଗିରଫ ଅଭିଯୁକ୍ତମାନେ ହେଲେ ଓ-ଟିଭି କର୍ମଚାରୀ ଅନିରୁଦ୍ଧ ପଣ୍ଡା ଓ କୃଷ୍ଣ ବେହେରାଙ୍କ ସମେତ ସେଠାରେ କାର୍ଯ୍ୟରତ ୨ ସିକ୍ୟୁରିଟି ଗାର୍ଡ ସାମଲ ଓ ବିଜୟ ରାଉତ। ରବିବାର ରାତିରେ ଅନିରୁଦ୍ଧଙ୍କୁ ପୁରୀ ଗୋପ ଅଞ୍ଚଳରୁ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ଏହାପରେ କ୍ରାଇମ୍‌ ବ୍ରାଞ୍ଚ ସମସ୍ତ ଅଭିଯୁକ୍ତଙ୍କ ପଲିଗ୍ରାଫ୍‌ ଟେଷ୍ଟ କରାଇବା ସହ ବୟାନ ରେକର୍ଡ କରିଛି।
ଏହି ସମ୍ବେଦନଶୀଳ ଘଟଣାର ତଦନ୍ତରେ ପୋଲିସ ହେଳା କରୁଥିବା ନେଇ ପୂର୍ବରୁ ହାଇକୋର୍ଟରେ ମାମଲା ହୋଇଥିଲା। ପୋଲିସ ଡିଜି ଅଭୟ ହାଇକୋର୍ଟଙ୍କ ଆଗରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିଥିଲେ। ସେହିଭଳି ଅତିରିକ୍ତ ଡିଜି ମାମଲାର ଅଗ୍ରଗତି ନେଇ ଜଉମୁଦ ଲଫାପାରେ ସତ୍ୟପାଠ ଦାଖଲ କରିଥିଲେ। ଅକ୍ଟୋବର ୬ରୁ ଏହି ମାମଲା ଓଡ଼ିଶା କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ କରୁଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ତେବେ ଅଭିଯୁକ୍ତଙ୍କ ବିରୋଧରେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ସଂକ୍ରାନ୍ତରେ ଡିସେମ୍ବର ୧୬ ସୁଦ୍ଧା ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟରେ ଜବାବ ଦାଖଲର ଦୁଇଦିନ ପୂର୍ବରୁ କ୍ରାଇମ୍‌ ବ୍ରାଞ୍ଚ ଏହି ପଦକ୍ଷେପ ଗ୍ରହଣ କରିଛି। ତେବେ କ୍ରାଇମ୍‌ ବ୍ରାଞ୍ଚର ଏହି ଗିରଫଦାରିକୁ ନେଇ ଆଉ ଏକ ପ୍ରଶ୍ନ ଉଠୁଛି। ଏହି ଘଟଣାରେ ୩ଜଣ ପୋଲିସ କର୍ମଚାରୀ ଓ ସହଯୋଗୀଙ୍କ ସମ୍ପୃକ୍ତି ଥିବା ନେଇ ପୀଡିତାଙ୍କ ମା’ ଅଭିଯୋଗ କରିଥିଲେ। ଖୋଦ୍‌ ଡିସିପି ମଧ୍ୟ ଜଣେ ପୋଲିସର ସମ୍ପୃକ୍ତି ଥିବାନେଇ ସୂଚନା ଦେଇଥିଲେ। ହେଲେ ଏଯାଏ କାହିଁକି ସେମାନଙ୍କୁ ଚିହ୍ନଟ କରିପାରୁନି କି ପଚରାଉଚରା କରୁନି। କ୍ରାଇମ ବ୍ରାଞ୍ଚ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଉ ନ ଥିବାରୁ ତଦନ୍ତକୁ ନେଇ ସନ୍ଦେହ ଉପୁଜିଛି। ଏ ସଂକ୍ରାନ୍ତରେ ପୋଲିସ ଡିଜି ଅଭୟ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ପୋଲିସ ହେଉ ଅବା ଅନ୍ୟ କେହି ଯିଏ ବି ସମ୍ପୃକ୍ତ ଥିବା ଜଣାପଡ଼ିବ ନିଶ୍ଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ସମୟରେ ଏହି ଘଟଣା ଘଟିଥିବା ନେଇ ଅଗଷ୍ଟ ୩୦ରେ ପୀଡିତାଙ୍କ ମା’ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ।