ବାଜା ବଜେଇ ୪ ଅଲିମ୍ପିଆନଙ୍କୁ ଗାଁକୁ ନେଲେ

ଝାରସୁଗୁଡ଼ା ଅଫିସ,୨୧ା୮: ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ଗୌରବ ଆଣିଥିବା ରାଜ୍ୟର ୪ଜଣ ଖେଳାଳି ପୁରୁଷ ହକି ଦଳର ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଓ ମହିଳା ହକି ଦଳର ଦୀପ୍‌ ଗ୍ରେସ୍‌ ଏକ୍କା, ନମିତା ଟପ୍ପୋ ନିଜ ଜନ୍ମମାଟି ସୁନ୍ଦରଗଡ଼ ଯିବା ପାଇଁ ଶୁକ୍ରବାର ଭୁବନେଶ୍ୱରରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ବିମାନ ବନ୍ଦରରେ ପହଞ୍ଚତ୍ଥିଲେ।

ଝାରସୁଗୁଡ଼ା ଜିଲା ପ୍ରଶାସନ, ଜିଲା କ୍ରୀଡ଼ା ସଂଘ ଓ ସୁନ୍ଦରଗଡ଼ ଜିଲା ପ୍ରଶାସନ ପକ୍ଷରୁ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେତାଳେ ସେମାନଙ୍କୁ ଉପଢୌକନ ଦିଆଯାଇ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିମାନ ବନ୍ଦରରୁ ଖେଳାଳିମାନେ ସ୍ବତନ୍ତ୍ର ଗାଡିରେ ସୁନ୍ଦରଗଡ ଅଭିମୁଖେ ଯାତ୍ରା କରିଥିଲେ। ଏଥିରେ ଜିଲାର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା, ସାମାଜିକ କର୍ମୀ ସାମିଲ ଥିଲେ। ଜିଲା ପ୍ରଶାସନ ପକ୍ଷରୁ ଡିଆର୍‌ଡିଏ ପିଡି ତପିରାମ ମାଝି, ଜିଲା କ୍ରୀଡା ଅଧିକାରୀ ସୁଶିଲ ମିଶ୍ର,ଏସ୍‌ଡିପିଓ ନିର୍ମଳ ମହାପାତ୍ର, ଆଇଆଇସି ସାବିତ୍ରୀ ବଳ, ଆଇଆଇସି ଅମିତାଭ ପଣ୍ଡା, ଜିଲା କ୍ରୀଡ଼ା ସଂଘର ତାପସ ରାୟ ଚୌଧୁରୀ, ଡିଲେଶ୍ୱର ରାଓ, ଜୀବନ ମହାନ୍ତି, ବିଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।