ବ୍ୟବସାୟୀଙ୍କଠୁ ଲୁଟିନେଲେ ୪ଲକ୍ଷ

ଝରିଗାଁ, ୧୮।୧: ଖଣ୍ଡାରେ ଆକ୍ରମଣ କରି ଜଣେ ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ୪ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ନବରଙ୍ଗପୁର ଡାକ୍ତରଖାନା ଓ ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ନବରଙ୍ଗପୁର ଜିଲା ଝରିଗାଁ ଥାନା ଅଧୀନ ଚକଲାପଦର ଘାଟିରେ ସୋମବାର ଏହି ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଝରିଗାଁ ବ୍ଲକ ଚଚା ଗ୍ରାମର ରାଜେନ୍ଦ୍ର ଯାଦବ ନାମକ ଜଣେ ବ୍ୟବସାୟୀ ଚକଲାପଦର ପଞ୍ଚାୟତ ଅଧୀନ କଂଗ୍ରା ସାପ୍ତାହିକ ବଜାରକୁ ସୋମବାର ପୂର୍ବାହ୍ନ ଯାଉଥିବାବେଳେ ଚକଲାପଦର ଘାଟିରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ। ଫଳରେ ରାଜେନ୍ଦ୍ରଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଛି। ପରେ ଦୁର୍ବୃତ୍ତମାନେ ରାଜେନ୍ଦ୍ରଙ୍କ ପାଖରେ ଥିବା ଟଙ୍କା ବ୍ୟାଗ୍‌କୁ ଛଡାଇ ନେଇଥିଲେ। ଉକ୍ତ ବ୍ୟାଗ୍‌ରେ ୪ ଲକ୍ଷ ଟଙ୍କା ଥିବା ରାଜେନ୍ଦ୍ର କହିଛନ୍ତି। ଉକ୍ତ ଅଞ୍ଚଳରେ କାର୍ଯ୍ୟରତ ଜଣେ ଗ୍ରାମରକ୍ଷୀ ଏ ସମ୍ପର୍କରେ ଥାନାରେ ଜଣାଇଥିଲେ। ଥାନା ଅଧିକାରୀ ଉମେଶ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଆହତ ବ୍ୟବସାୟୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ବୋଲି ରାଜେନ୍ଦ୍ରଙ୍କ ବଡ଼ ପୁଅ ଅନିଲ୍‌ ସୂଚନା ଦେଇଛନ୍ତି। ସାନ ପୁଅ ସୁନିଲ୍‌ ଏ ନେଇ ଝରିଗାଁ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା(ନଂ.୬/୨୧) ରୁଜୁକରି ତଦନ୍ତ ଚଳାଇଛି।