ରାଜଧାନୀରେ ସ୍ଥାପନ ହେଲା ୪ଇଭି ଚାର୍ଜିଂ ପଏଣ୍ଟ

ଭୁବନେଶ୍ୱର, ୨।୩(ବ୍ୟୁରୋ): ସ୍ମାର୍ଟ ସିଟି ଭୁବନେଶ୍ୱରରେ ବୈଦ୍ୟୁତିକ ଯାନ (ଇଭି) ଚାର୍ଜିଂ ପଏଣ୍ଟ ସ୍ଥାପନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭ଟି ଇଭି ଚାର୍ଜିଂ ପଏଣ୍ଟ ସ୍ଥାପନ ହେବାକୁ ଥିବାବେଳେ ସେଥିମଧ୍ୟରୁ ଡିଏନ୍‌ ରେଗାଲିଆ, ଶହିଦନଗର ଏବଂ ରାଜମହଲସ୍ଥିତ ମଲ୍ଟି ଲେଭଲ୍‌ କାର୍‌ ପାର୍କିଂ ଏବଂ ଏସ୍‌ପ୍ଲାନେଡ୍‌ ମଲ ପରିସରରେ ୪ଟି ପଏଣ୍ଟ ସ୍ଥାପନ କରାଯାଇଛି। ବାକି ୩ଟି ସ୍ଥାନ ଯଥା ସମ୍‌ ହସ୍ପିଟାଲ, କିମ୍ସ ହସ୍ପିଟାଲ ଏବଂ ସିଆର୍‌ପି ଛକ ନିକଟସ୍ଥ କ୍ରିଷ୍ଣାପ୍ଲାଜା ନିକଟରେ ଇଭି ଚାର୍ଜିଂ ଷ୍ଟେଶନ କାମ ଜାରି ରହିଥିବା ସ୍ମାର୍ଟସିଟି ଜେନେରାଲ ମ୍ୟାନେଜର କମଲଜିତ୍‌ ଦାସ ମଙ୍ଗଳବାର ସୂଚନା ଦେଇଛନ୍ତି। ଆଗକୁ ଏହି ସଂଖ୍ୟା ବୃଦ୍ଧି ପାଇବ। ଷ୍ଟେଶନଗୁଡିକୁ ପିପିପି ମୋଡ୍‌ରେ ସ୍ଥାପନ କରାଯିବ ବୋଲି ସୂଚନା ଦିଆଯାଇଛି। ଚାର୍ଜିଂ ପଏଣ୍ଟଗୁଡ଼ିକ ମଧ୍ୟରୁ ଶହୀଦନଗର ଓ ରାଜମହଲସ୍ଥିତ ମଲ୍ଟିଂ ଲେଭଲ କାର୍‌ ପାର୍କିଂରେ ୪ଟି ଲେଖାଏ ଏବଂ ଅନ୍ୟ ଦୁଇ ମଲ୍‌ରେ ୮ଟି ଲେଖାଏ ଚାର୍ଜର ବ୍ୟବସ୍ଥା ରହିଛି। ତେବେ ସ୍ଥାପନ ହୋଇଥିବା ପଏଣ୍ଟଗୁଡ଼ିକ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ। ପ୍ରାୟ ସପ୍ତାହକ ମଧ୍ୟରେ ପଏଣ୍ଟଗୁଡ଼ିକ କାର୍ଯ୍ୟକ୍ଷମ ହେବ ବୋଲି ସ୍ମାର୍ଟ ସିଟିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଗାଡ଼ିର ବ୍ୟାଟେରି କାପାସିଟି ଅନୁଯାୟୀ ଏହା ଚାର୍ଜ ହେବା ପାଇଁ ସମୟ ନେବ। ଗୋଟିଏ କାର୍‌କୁ ଚାର୍ଜ ହେବା ପାଇଁ ପ୍ରାୟ ୩ଘଣ୍ଟା ଲାଗିବ। ସେହିପରି ଏକ ଦୁଇଚକିଆ ଯାନ ଚାର୍ଜ ହେବାକୁ ପ୍ରାୟ ୧ଘଣ୍ଟା ଲାଗିପାରେ। ତେବେ ଏ ପର୍ଯ୍ୟନ୍ତ ଚାର୍ଜିଂ ଦର ଧାର୍ଯ୍ୟ ହୋଇନାହିଁ। ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରକୁ ପ୍ରଦୂଷଣମୁକ୍ତ ଓ ସବୁଜ ସୁନ୍ଦର କରି ଗଢି ତୋଳିବା ଲକ୍ଷ୍ୟରେ ସ୍ମାର୍ଟ ସିଟି ପକ୍ଷରୁ ଏପରି ପଦକ୍ଷେପ ନିଆଯାଉଛି। ମହାନଗରକୁ ଏକ ସବୁଜ ସହରରେ ପରିଗଣିତ କରିବା ଲକ୍ଷ୍ୟରେ ଇ-ଯାନ ପାଇଁ ଭିତ୍ତିଭୂମିର ବିକାଶ କରାଯାଉଛି। ଧୀରେ ଧୀରେ ଇ-ଯାନ ପ୍ରତି ଲୋକଙ୍କ ଆଗ୍ରହ ବଢୁଥିଲେ ହେଁ ଏହାକୁ ଚାର୍ଜିଂ ନେଇ ସମସ୍ୟା ରହିଥିଲା। ତେଣୁ ଅନେକ ଲୋକ ଇ-ଯାନ କିଣିବାକୁ କୁଣ୍ଠାବୋଧ କରୁଥିଲେ। ମାତ୍ର ଚାର୍ଜିଂ ପଏଣ୍ଟ ସ୍ଥାପନ ହେବା ପରେ ଏହି ସମସ୍ୟାର ସମାଧାନ ମିଳିଛି।