ବିନା ଅନୁମତିରେ ଶ୍ରୀମନ୍ଦିରରେ ପ୍ରବେଶ କରି ସସ୍‌ପେଣ୍ଡ ହେଲେ ୪ ଏଏନ୍‌ଏମ୍‌

ପୁରୀ ଅଫିସ, ୨୯।୧୨: ପୁରୀ ଶ୍ରୀମନ୍ଦିରକୁ ବିନା ଅନୁମତିରେ ପ୍ରବେଶ କରିବା ଏଏନ୍‌ଏମ୍‌ କର୍ମୀଙ୍କୁ ମହଙ୍ଗା ପଡ଼ିଛି। ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ ଦାୟିତ୍ୱରେ ଥିବା ୪ ଏଏନ୍‌ଏମ୍‌ଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ମଙ୍ଗଳବାର ନିଲମ୍ବିତ କରିଛନ୍ତି।
ଏହି ଏଏନ୍‌ଏମମାନେ ମନ୍ଦିର ବାହାରେ ଡ୍ୟୁଟି କରିବା ପାଇଁ ଦାୟିତ୍ୱ ପାଇଥିଲେ । ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ପାଇଥିବା ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ ଦାୟିତ୍ୱରେ ଥିଲେ । ତେବେ ଶ୍ରୀମନ୍ଦିରକୁ ପ୍ରବେଶ ନେଇ ସେମାନଙ୍କ ନିକଟରେ କୌଣସି ଅନୁମତି ନ ଥିଲେ ବି ସେମାନେ ମନ୍ଦିର ଭିତରକୁ ଯାଇଥିଲେ। ଏ ଘଟଣା ଜଣାପଡ଼ିବା ପରେ ୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସିଡିଏମ୍‌ଓ।

ସୂଚନାଯୋଗ୍ୟ, ଦୀର୍ଘ ୯ ମାସର କଟକଣା ପରେ ଗତ ୨୩ ତାରିଖରୁ ପୁରୀରେ କାଳିଆ ଦର୍ଶନ ଆରମ୍ଭ ହୋଇଛି । ପ୍ରଥମ ୩ ଦିନ ସେବାୟତଙ୍କ ପରିବାରଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ମିଳିଥିଲା। ଏହା ପରେ ୨୬ତାରିଖରୁ ୩୧ ଯାଏ ପୁରୀ ସହରବାସୀଙ୍କୁ ଏହି ଅନୁମତି ମିଳିଛି।