ପୂରଣ ହେବ ୩୯୯ ଓସିଏସ୍‌ ପଦବୀ

କଟକ,୩୦ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ରାଜ୍ୟରେ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌)ର ୩୯୯ ପଦବୀ ଖୁବ୍‌ଶୀଘ୍ର ପୂରଣ ହେବ। ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ଏହି ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ନିଯୁକ୍ତି ପରୀକ୍ଷା କରିବ। ଏନେଇ ଶୁକ୍ରବାର ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ତାଲିକା ଅନୁଯାୟୀ, ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ର ମୋଟ ୩୦ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ହେବ। ସେଥିମଧ୍ୟରୁ ଅଣସଂରକ୍ଷିତ ବର୍ଗ ବା ସାଧାରଣବର୍ଗ (ୟୁଆର)ରେ ୧୫, ଅନୁସୂଚିତ ଜାତି (ଏସ୍‌ସି) ୨ବର୍ଗରେ ୮ ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗରେ ୭ ପଦବୀ ସଂରକ୍ଷିତ ରହିଛି। ଓଡ଼ିଶା ବିତ୍ତ ସେବା (ଓଏଫ୍‌ଏସ୍‌)ରେ ୫୬ ପଦବୀ ରହିଛି। ସେଥିମଧ୍ୟରୁ ସାଧାରଣ ବର୍ଗରେ ୨୮, ଏସ୍‌ଇବିସିରେ ୬, ଏସ୍‌ସିରେ ୯ ଓ ଏସ୍‌ଟିରେ ୧୩ଟି ପଦବୀ ପୂରଣ ହେବ। ଓଡ଼ିଶା ପୋଲିସ ସେବା(ଓପିଏସ୍‌)ରେ ମୋଟ ୬ଟି ପଦବୀ ମଧ୍ୟରୁ ସାଧାରଣବର୍ଗରେ ୩, ଏସ୍‌ଇବିସି, ଏସ୍‌ସି ଓ ଏସ୍‌ଟିରେ ଗୋଟିଏ ଲେଖାଏ ପଦବୀ ରହିଛି। ଓଡ଼ିଶା କୋ-ଅପରେଟିଭ ସର୍ଭିସ (ଓସିଏସ୍‌)ରେ ୧୨ଟି ପଦବୀ ମଧ୍ୟରୁ ସାଧାରଣ ବର୍ଗରେ ୭, ଏସ୍‌ସି ୪ ଓ ଏସ୍‌ଟି ବର୍ଗରେ ଗୋଟିଏ ପଦବୀ ଖାଲି ରହିଛି। ଓଡ଼ିଶା ରେଭିନ୍ୟୁ ସର୍ଭିସ (ଓଆର୍‌ଏସ)ରେ ୯୦ଟି ପଦବୀ ପାଇଁ ନିଯୁକ୍ତି ପରୀକ୍ଷା କରାଯିବ। ସେଥିମଧ୍ୟରୁ ୪୫ଟି ଅଣସଂରକ୍ଷିତ ଥିବାବେଳେ ଏସ୍‌ଇବିସି ୧୮, ଏସ୍‌ସି ୧୪ ଓ ଏସ୍‌ଟି ବର୍ଗରେ ୧୩ଟି ସଂରକ୍ଷିତ ରହିଛି। ଓଡ଼ିଶା ଲେବର ସର୍ଭିସ (ଓଏଲ୍‌ଏସ୍‌)ରେ ୧୧୩ ପଦବୀ ପୂରଣ ହେବ। ସେଥିମଧ୍ୟରେ ସାଧାରଣ ବର୍ଗରେ ୬୯,ଏସ୍‌ଇବିସିରେ ୧୦, ଏସ୍‌ସିରେ ୧୪ ଓ ଏସ୍‌ଟି ବର୍ଗରେ ୨୦ଟି ରହିଛି। ଓଡ଼ିଶା ଟ୍ୟାକ୍ସେସନ ଓ ଆକାଉଣ୍ଟ୍ସ ସର୍ଭିସ(ଓଟି ଆଣ୍ଡ୍‌ ଏଏସ୍‌)ରେ ୬୮ଟି ପଦବୀରୁ ସାଧାରଣବର୍ଗରେ ୪୯, ଏସ୍‌ସିରେ ୬ ଓ ଏସ୍‌ଟିରେ ୧୩ଟି ସିଟ୍‌ ଫାଙ୍କା ରହିଛି। ଓଡ଼ିଶା ଏମ୍ପ୍ଲୟମେଣ୍ଟ ସର୍ଭିସ (ଓଇଏସ)ରେ ଗୋଟିଏ, ଓଡ଼ିଶା କୋ ଅପରେଟିଭ ଅଡିଟ ସର୍ଭିସ (ଓସିଏଏସ୍‌)ରେ ୪, ଓଡ଼ିଶା ଟ୍ୟୁରିଜମ ସର୍ଭିସ (ଓଟିଏସ୍‌)ରେ ୧୯ ପଦବୀ ପୂରଣ ପାଇଁ ଓପିଏସ୍‌ସି ପରୀକ୍ଷା କରିବ।
ରାଜ୍ୟ ସରକାର ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ କେଉଁ ବିଭାଗରେ କେତେ ପଦବୀ ଫାଙ୍କା ରହିଛି ତାହାର ତାଲିକା ଓପିଏସ୍‌ସିକୁ ପ୍ରଦାନ କରାଯାଇଛି। ଆସନ୍ତା ଜାନୁୟାରୀ ୧୭ରୁ ଓସିଏସ୍‌-୨୦୨୩ ପ୍ରିଲିମିନାରୀ ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃୟାରୀ ୧୬ ତାରିଖରେ ଶେଷ ହେବ। ମୋଟ ପଦବୀରୁ ୧୩୧ଟି ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି। ପ୍ରଲିମିନାରୀ ପରୀକ୍ଷା ପରେ ମୁଖ୍ୟ ଲିଖିତ ପରୀକ୍ଷା ସହ ସାକ୍ଷାତ୍‌କାର ଏବଂ ପ୍ରମାଣପତ୍ର ଯାଞ୍ଚ ହେବ। ଏହି ସମସ୍ତ ପ୍ରକ୍ରିୟା ଶେଷରେ ଯେଉଁ ପ୍ରାର୍ଥୀ କୃତକାର୍ଯ୍ୟ ହେବେ ସେମାନଙ୍କର ଚୂଡାନ୍ତ ମେଧା ତାଲିକା ପ୍ରକାଶ ପାଇବ।