ଆଜି ନବମୀ ସନ୍ଧ୍ୟା ଦର୍ଶନ

ପୁରୀ ଅଫିସ,୧୧।୭: ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ପହଞ୍ଚତ୍ଛନ୍ତି ତିନିରଥ। ମଙ୍ଗଳବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ଅଣାଯାଇଥିଲା। ତେବେ ସନ୍ଧ୍ୟା ହୋଇଯିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼ ହୋଇପାରି ନ ଥିଲା। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ନନ୍ଦିଘୋଷ ରଥକୁ ବୁଧବାର ପୂର୍ବାହ୍ନ ୮ଟା ୪୦ରେ ଟଣାଯାଇ ବଡ଼ଶଙ୍ଖଠାରେ ଦକ୍ଷିଣ ମୋଡ଼ କରାଯାଇଥିଲା। ପୂର୍ବାହ୍ନ ୯ଟା ୫୦ରେ ଏହି ରଥ ନାକଚଣା ଦ୍ୱାରରେ ଲାଗିଥିଲା। ଗୁରୁବାର ନବମୀ ସନ୍ଧ୍ୟା ଦର୍ଶନ। ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇ ଚତୁର୍ଦ୍ଧାବିଗ୍ରହ ଶୁକ୍ରବାର ବାହୁଡ଼ାରେ ରଥରେ ବସି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ଗୁରୁବାର ସନ୍ଧ୍ୟା ୭ଟାରୁ ଠାକୁରଙ୍କ ଦର୍ଶନ ବନ୍ଦ ରହିବ। ଏହାପରେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ କରାଯାଇ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆରମ୍ଭ ହେବ। ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦ ବଜାରକୁ ଯିବା ଲାଗି କେବଳ ନାକଚଣା ଦ୍ୱାର ଖୋଲା ରହିବ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।

ସନ୍ଧ୍ୟା ଦର୍ଶନ ନୀତି ନିର୍ଘଣ୍ଟ
ଦ୍ୱାରଫିଟା ଭୋର ୪ଟା, ମଙ୍ଗଳ ଆଳତି-୪ଟା ୩୦, ମଇଲମ-ତଡ଼ପଲାଗି ୫ଟା, ଅବକାଶ ସକାଳ ୬ଟା, ରୋଷହୋମ ୬ଟା ୧୫, ସୂର୍ଯ୍ୟପୂଜା ୬ଟା ୩୦, ଦ୍ୱାରପାଳ ପୂଜା ୬ଟା ୪୫, ବେଶ ଶେଷ ୭ଟା, ଗୋପାଳବଲ୍ଲଭ ୭ଟା ୩୦, ସକାଳ ଧୂପ ୮ଟାରୁ ୯ଟା ୩୦, ଭୋଗମଣ୍ଡପ-୮ଟା ୩୦ରୁ ୧୦ଟା ୩୦, ମଇଲମ ପୂର୍ବାହ୍ନ ୧୦ଟା ୪୫, ଯାତ୍ରାଙ୍ଗୀ ମହାସ୍ନାନ ୧୧ଟା ୩୦, ସର୍ବାଙ୍ଗ ମଧ୍ୟାହ୍ନ ୧୨ଟା, ନୂଆଲାଗି ବେଶ ଅପରାହ୍ନ ୧ଟା, ମଧ୍ୟାହ୍ନ ଧୂପ ୧ଟା ୩୦ରୁ ୩ଟା, ୨ୟ ଭୋଗ ମଣ୍ଡପ ୨ଟାରୁ ୩ଟା ୩୦, ମଇଲମ, ବେଶ ୩ଟା ୪୫ ରୁ ୪ଟା ୪୦, ସନ୍ଧ୍ୟା ଆଳତି ୫ଟା, ସନ୍ଧ୍ୟା ଧୂପ ସାଢେ ୫ଟାରୁ ସନ୍ଧ୍ୟା ୭ଟା, ୩ୟ ଭୋଗମଣ୍ଡପ ୫ଟା୪୫ ରୁ ୭ଟା ୩୦, ରାହାସକୁ ଦିଅଁ ବିଜେ ରାତି ୮ଟା, ମଇଲମ ୮ଟା ୧୫, ଚନ୍ଦନ ଲାଗି ୮ଟା ୩୦, ବଡସିଂହାର ବେଶ ରାତ୍ର ୯ଟା, ବଡସିଂହାର ଭୋଗ ୯ଟା ୩୦, ପହୁଡ ଆଳତି ୧୦ଟା, ଶ୍ରୀମୁଖ ଖଣ୍ଡୁଆ ୧୦ଟା ୧୫, ବାହୁଟ କଣ୍ଟ ୧୦ଟା ୩୦, ଚାରବନ୍ଧା ରାତି ୧୧ଟାରୁ ୨ଟା ଏବଂ କୁସୁମିଲାଗି ୨ଟା ୩୦ରୁ ୩ଟା ୩୦।