ଦିନକରେ ରାଜ୍ୟରେ ୩୮୭ ପଜିଟିଭ୍‌

ଭୁବନେଶ୍ୱର, ୨୧ା୪ (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଲଗାତର ଭାବେ ବଢ଼ିଚାଲିଛି। ଯଦିଓ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି, ତଥାପି ଦୈନିକ ସଂକ୍ରମଣରେ କ୍ରମଶଃ ବୃଦ୍ଧି ଘଟିବା ଚିନ୍ତାଜନକ ବିଷୟ ପାଲଟିଛି। ଏବେ ସଂକ୍ରମଣ ୪ଶହ ମୁହଁା ହୋଇଛି। ଗତ ୨୪ ଘଣ୍ଟାରେ ମୋଟ୍‌ ୬ ହଜାର ୩୦୮ ଟେଷ୍ଟିଂ କରାଯାଇଥିବାବେଳେ ସେଥିରୁ ୩୮୭ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୧୭୭କୁ ବୃଦ୍ଧି ପାଇଛି। ଅପରପକ୍ଷେ ରାଜ୍ୟରୁ ଆଉ ୧୮୫ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ଦିଆଯାଇଛି। ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କ ପାଇଁ ପରାମର୍ଶ ଜାରି କରାଯାଇଛି। ଥଣ୍ଡା, କାଶ, ଜ୍ୱର, ଗଳା ଦରଜ ଭଳି ଲକ୍ଷଣ ଦେଖାଦେଲେ ନିଜକୁ ଆଇସୋଲେଟ କରି ରଖିବା ସହ ତୁରନ୍ତ କରୋନା ଟେଷ୍ଟ କରାଇବା ଆବଶ୍ୟକ। ସେହିପରି ଠିକ୍‌ ଭାବେ ମାସ୍କ ପରିଧାନ କରିବା, ଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବା, ହାତକୁ ବାରମ୍ବାର ସାବୁନ କିମ୍ବା ହାଣ୍ଡଓ୍ବାସ୍‌ରେ ଧୋଇବା, ସାନିଟାଇଜର ବ୍ୟବହାର କରିବା ଆଦି ନିୟମକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଛୋଟପିଲା, ଗର୍ଭବତୀ ମହିଳା ଏବଂ ବୟସ୍କ ବ୍ୟକ୍ତିମାନେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।