ପାଟଣା, ୨୬/୧୧ (ବୀର କିଶୋର ଦାଶ): ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି ଉପରେ ରୋକ ଲଗାଇବା ଉଦ୍ଦେଶ୍ୟରେ ପାଟଣା ବଜାର ଅଞ୍ଚଳର ୩୬ଟି ଦୋକାନରେ ଗୁରୁବାର ମିଳିତ ଚଢ଼ାଉ କରାଯାଇଛି। ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପାଟଣା ପୋଲିସ ଓ ଅବକାରୀ ବିଭାଗର ସହଯୋଗରେ ଏହି ଚଢ଼ାଉ ଅଭିଯାନ କରାଯାଇଥିଲା।
ଚଢ଼ାଉ ସମୟରେ ଦୋକାନୀମାନଙ୍କୁ ସିଗାରେଟ୍, ଖଇନି ଓ ଗୁଟ୍ଖା ଭଳି ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି ନକରିବାକୁ କଡ଼ା ଚେତାବନୀ ଦିଆଯାଇଥିଲା। ଏଥିସହ ନିୟମ ଉଲ୍ଲଂଘନ କରିଥିବା ପ୍ରତ୍ୟେକ ଦୋକାନୀଙ୍କଠାରୁ ୧୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥିଲା।
ଏହି ଚଢ଼ାଉରେ ଡାକ୍ତର ଅଭିଷେକ ସାହୁ ଓ ନିରଞ୍ଜନ ସାହୁ, ପିଏଚ୍ଇଓ ଭାଗୀରଥି ବେହେରା, ବ୍ଲକ ଆକାଉଣ୍ଟସ୍ ମ୍ୟାନେଜର ବିରଞ୍ଚି ନାରାୟଣ ପଣ୍ଡା, ମେଡିକାଲ ରେକର୍ଡ ଆସିଷ୍ଟାଣ୍ଟ ଲମ୍ବୋଦର ନାଏକ, ତପନ କୁମାର ଜେନା ଓ ଯୋଗେନ୍ଦ୍ର ସାହୁ ପ୍ରମୁଖ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ସାମିଲ ଥିଲେ। ଅନ୍ୟପଟେ ପାଟଣା ଅବକାରୀ ଥାନାର ସଞ୍ଜିତ କୁମାର ସ୍ୱାଇଁ, ପାଟଣା ଥାନା ଏସ୍ଆଇ ଜିତେନ୍ଦ୍ର କୁମାର ପଟେଲ ଓ ଏଏସ୍ଆଇ ଧନେଶ୍ୱର ପାତ୍ର ଚଢ଼ାଉରେ ଉପସ୍ଥିତ ରହି ସହଯୋଗ କରିଥିଲେ।