କାମ କରିବାକୁ ଯାଇ ଥାଇଲାଣ୍ଡରେ ଫସିଛନ୍ତି ୩୫ ଶ୍ରମିକ

ରାଜକନିକା,୧୩ା୧୦(ସଞ୍ଜୟ କୁମାର ଦାଶ):କେନ୍ଦ୍ରାପଡ଼ା ଜିଲାରେ ବେକାର ହୋଇ ଗାଁରେ ବୁଲି ଗଣ୍ଡେ ଖାଇ ଢୋକେ ପିଇବା ଅପେକ୍ଷା ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯୁବପିଢ଼ି ବାହାର ରାଜ୍ୟ ଓ ଦେଶକୁ ଯାଉଛନ୍ତି। ଯେଉଁ ଦଲାଲଙ୍କ ମାଧ୍ୟମରେ ସେମାନେ ରାଜ୍ୟ ଓ ଦେଶ ବାହାରକୁ ଯାଉଛନ୍ତି ସେଠାରେ ପହଞ୍ଚତ୍ଲା ପରେ କେତେକ ସ୍ଥାନରେ ନିର୍ଯାତନାର ଶିକାର ହେଉଛନ୍ତି। ଏଭଳି ଏକ ଘଟଣା ଜିଲାର ରାଜକନିକା ବ୍ଲକ ଅଞ୍ଚଳରୁ ଆସିଛି। ବ୍ଲକ ଅଞ୍ଚଳର ପ୍ରାୟ ୩୫ ଜଣ ଶ୍ରମିକ ୩ ମାସ ତଳେ ଥାଇଲାଣ୍ଡର ଏକ ପ୍ଲାଏଉଡ୍‌ କମ୍ପାନୀରେ କାମ କରିବାକୁ ଦଲାଲଙ୍କ ମାଧ୍ୟମରେ ଯାଇଥିଲେ। ହେଲେ ସେଠାରେ କାମ ବଦଳରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣି ଏକ ଭିଡିଓ ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। ସେମାନେ ଯେଉଁ କମ୍ପାନୀରେ କାମ କରୁଛନ୍ତି ତାହାର କର୍ତ୍ତୃପକ୍ଷ ପାସ୍‌ପୋର୍ଟ, ଭିଜା ଓ ଅନ୍ୟ କାଗଜପତ୍ର ଛଡାଇ ନେଇଛନ୍ତି। ଘରକୁ ଆସିବାକୁ ଚାହିଁଲେ କମ୍ପାନୀ ଛାଡ଼ୁନି।
ସୂଚନାଯୋଗ୍ୟ, ରାଜକନିକା ବ୍ଲକ ଜୟନଗର, କାଟଣା ବଣିଆଁ ଓ କୋଇଲିପୁର ପଞ୍ଚାୟତର ପ୍ରାୟ ୩୫ଜଣ ଶ୍ରମିକ ଜଣେ ଦଲାଲଙ୍କ ମାଧ୍ୟମରେ ଥାଇଲାଣ୍ଡସ୍ଥିତ ଡ୍ୟୁଟୁଆନ କମ୍ପାନୀରେ ପ୍ଲାଏଉଡ କାମ କରିବାକୁ କହି ପଠାଇ ଥିଲେ। ହେଲେ ସେଠାରେ ଶ୍ରମିକମାନଙ୍କଠାରୁ ସେମାନଙ୍କ ପାସପୋର୍ଟ ଓ ଭିଜା କମ୍ପାନୀ କର୍ତ୍ତୃପକ୍ଷ ନେଇଯିବା ସହ ଖାଇବାକୁ ଠିକ୍‌ ଢଙ୍ଗରେ ଦେଉନାହାନ୍ତି। ଜଣେ ଶ୍ରମିକଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। କମ୍ପାନୀ କର୍ତ୍ତୃପକ୍ଷ ୨ ମାସ ପର୍ଯ୍ୟନ୍ତ ମେଡିକାଲ ନେଲେ ନାହିଁ। ଏହାବାଦ୍‌ କାହା ଦେହ ଖରାପ ହେଲେ ମେଡିକାଲ ନେଉନାହାନ୍ତି। ଠିକ୍‌ ଭାବରେ ଦରମା ଦେଉନାହାନ୍ତି। ବନ୍ଦୀ ଭାବେ ସେମାନଙ୍କୁ ରଖାଯାଇଥିବାରୁ ତୁରନ୍ତ ଘରକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ଏ ନେଇ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ସେମାନଙ୍କୁ ତୁରନ୍ତ ସରକାରୀ ସହାୟତାରେ ଘରକୁ ଫେରାଇ ଆଣିବାକୁ ଜିଲାପାଳଙ୍କ ନିକଟରେ ଦାବି କରିଥିବା କହିଛନ୍ତି।