ସାଢ଼େ ୧୧ ସୁଦ୍ଧା ହିନ୍ଦୋଳରେ ୩୫ ପ୍ରତିଶତ ମତଦାନ

ଢେଙ୍କାନାଳ ଅଫିସ,୩ା୪: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ନିର୍ବାଚନ ପାଇଁ ସୋମବାର ସକାଳ ୮ଟାରୁ ଭୋଟ୍‌ ଗ୍ରହଣ ଚାଲିଛି। ଏହି ପ୍ରକ୍ରିୟା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲୁରହିବ। ତେବେ ପୂର୍ବାହ୍ନ ସାଢ଼େ ୧୧ ସୁଦ୍ଧା ୩୫ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।

ବିଜେଡିରୁ କେଶବ ଚନ୍ଦ୍ର ପ୍ରଧାନ, ଭାଜପାରୁ ସୌଭାଗିନୀ ପ୍ରଧାନ ଏବଂ କଂଗ୍ରେସରୁ ରୀତା ପଲେଇ ନିର୍ବାଚନ ଲଢୁଛନ୍ତି। ସେହିପରି ୧୬ଟି କାଉନ୍‌ସିଲର ପଦବୀ ପାଇଁ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ୫୦ ଜଣ ଦାବିଦାର ରହିଛନ୍ତି। ମୋଟ ୯,୮୬୩ (୪,୮୧୭ ମହିଳା ଏବଂ ୫,୦୪୬ ପୁରୁଷ) ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏ ସଂକ୍ରାନ୍ତରେ ନିର୍ବାଚନ ଅଧକାରୀ ତଥା ହିନ୍ଦୋଳ ଉପଜିଲାପାଳ ଶିବାନନ୍ଦ ସ୍ବାଇଁ କୁହନ୍ତି, ଏନ୍‌ଏସି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଭୋଟରଙ୍କ ସୁବିଧା ପାଇଁ ମତଦାନ କେନ୍ଦ୍ରରେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଆସନ୍ତା ୫ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ।